କେନ୍ଦୁଝର: ଭଉଣୀର କଙ୍କାଳକୁ ବ୍ୟାଙ୍କ ବୋହି ନେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆରଡିସି ତଦନ୍ତ ଆରମ୍ଭ ହୋଇଛି । ଗୁରୁବାର ସକାଳୁ ଆରଡିସି ଟିମ୍ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ମଲ୍ଲିପଶି ଗ୍ରାମରେ ପୀଡ଼ିତ ଜିତୁ ମୁଣ୍ଡାଙ୍କ ଘରେ ପହଁଚିଛନ୍ତି । ଆରଡିସି ଟିମରେ ସଂଗ୍ରାମ କେଶରୀ ମହାପାତ୍ର, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଏବଂ ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ । ଜିତୁ ମୁଣ୍ଡାଙ୍କ ସହିତ ଆଲୋଚନା ଅଧିକାରୀମାନେ ଆଲୋଚନା କରିଛନ୍ତି ।
ଗତକିଛି ଦିନ ତଳେ ଜିତୁ ମୁଣ୍ଡା ମଲ୍ଲିପଶିସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ମୃତ ଭଉଣୀ କଲରା ମୁଣ୍ଡାଙ୍କ ଟଙ୍କା ଆଣିବାକୁ ଯାଇଥିଲେ । ବ୍ୟାଙ୍କ ଟଙ୍କା ଦେବାକୁ ମନା କରିଦେଇଥିଲା । ବ୍ୟାଙ୍କ ମୃତ୍ୟୁ ପ୍ରମାଣ ପତ୍ର ମାଗିଥିଲା । ଏହା ପରେ ଜିତୁ ମୁଣ୍ଡା ନିଜେ ଗାତ ଖୋଳି ମୃତ ଭଉଣୀଙ୍କ କଙ୍କାଳ ଉଠାଇ ନେଇଥିଲେ । ଯାହାକି ଅତ୍ୟନ୍ତ ହୃଦ ବିଦାରକ ଥିଲା । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହି ଘଟଣାକୁ ନିନ୍ଦା କରାଯାଇଛି । ପରବର୍ତ୍ତୀ ସମୟରେ ଜିତୁ ମୁଣ୍ଡାଙ୍କୁ ତାଙ୍କର ସମସ୍ତ ଟଙ୍କା ହସ୍ତାନ୍ତର କରାଯାଇଛି ।