ନୂଆଦିଲ୍ଲୀ: ଆଇପିଏଲରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି, ମାତ୍ର ଏହା କେବଳ ବ୍ୟାଟିଂକୁ ନେଇ । ୨୬୫ ରନର ବିଜୟ ଲକ୍ଷ୍ୟ ୭ଟି ବଲ୍ ବଳକା ଥାଇ ଜିତି ହେଉଛି । ପାଞ୍ଚ ଥରର ଆଇପିଏଲ୍ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ, ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ବୋଲର ଥାଉ ଥାଉ ୨୪୩ ରନ ବି ଡିଫେଣ୍ଡ ହୋଇ ପାରୁନି । ତେଣୁ ଆଇପିଏଲରେ ଘଟୁଛି କଣ । ଏହାକୁ ନେଇ ସନରାଇଜର୍ସ ହାଇଦ୍ରାବାଦର ସ୍ପିନ ବୋଲିଂ କୋଚ୍ ତଥା ପୂର୍ବତନ ମହାନ ବୋଲର ମୁଥୈୟା ମୁରଲୀଧରଣ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ବୋଲରଙ୍କୁ ଏହା ସ୍ୱୀକାର କରିବାକୁ ପଡିବ ଯେ, ସେମାନଙ୍କ ଉପରେ ପ୍ରବଳ ପ୍ରହାର ହେବ, କାରଣ ଖେଳରେ ତାହା ହିଁ ଚାହିଦା ରହୁଛି ।
ଏମଆଇ ବନାମ ଏସଆରଏଚ ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ମୁଥୈୟା ମୁରଲୀଧରଣ କହିଛନ୍ତି, ଏହା ଜଣେ ବୋଲର ପାଇଁ ବହୁତ ମୁସ୍କିଲ, କାରଣ ଆଜିକାଲି ପ୍ରତି ଦଳର ଓପନିଂ ବ୍ୟାଟର ଆସୁ ଆସୁ ଆଉଟ୍ ହେବାକୁ ନ ଡରି ପ୍ରହାର କରୁଛନ୍ତି । ଯେବେ ଆମେ ଖେଳୁଥିଲୁ ପ୍ରଥମ ୬ ଓଭରରେ ଗୋଟିଏ ୱିକେଟ୍ ହରାଇ ୪୦ରୁ ୫୦ ରନ ହେଉଥିଲା । ଏବେ ଏହା ହାରହାରି ୭୦ରୁ ୮୦ ରନ ହେଉଛି । ସେ ସ୍ୱୀକାର କରିଛନ୍ତି ଯେ, ଯୁବ ଖେଳାଳି ବୋଲରଙ୍କ କାମ ଆହୁରି ମୁସ୍କିଲ କରି ଦେଇଛନ୍ତି । ସେମାନେ ନିର୍ଭୟର ସହ ବ୍ୟାଟିଂ କରୁଛନ୍ତି । ସଲିଲ ଆରୋର ବୁମରାଙ୍କୁ ଛକା ମାରି ଦେଉଛନ୍ତି । ଏହା ଅବିଶ୍ୱସନୀୟ ।
ମୁୁରଲୀଧରଣ କହିଛନ୍ତି, ଆଜି ସମସ୍ତେ ମନୋରଞ୍ଜନ ଚାହାନ୍ତି । ଯଦି ଏକ ଭଲ ପିଚ୍ ଦିଆଯିବ ତେବେ ଦର୍ଶକ ବୋଲିଂ ହୋଇଯିବେ । କାରଣ ଉକ୍ତ ପିଚରେ ବୋଲରଙ୍କ ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ । ପୁଣି ବାଉଣ୍ଡରୀ ମଧ୍ୟ ଛୋଟ ରହୁଛି । ଟି-୨୦ ଫର୍ମାଟରେ ଦର୍ଶକ ଅତିରିକ୍ତ ମନୋରଞ୍ଜନ ଚାହାନ୍ତି । ପ୍ରତି ବଲରେ ଚୌକା ଓ ଛକା ଦେଖିବାକୁ ଚାହାନ୍ତି । ତେଣୁ ସଂପ୍ରତି ଏହା ଏକ ବଡ ବିଜନେସ । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ, ବୋଲରଙ୍କୁ ଏବେ ଆହୁରି ନିଜର ବୋଲିଂ ଉପରେ କାମ କରିବାକୁ ପଡିବ ।