୨୦୨୫ ଆଇପିଏଲରେ ଡେବ୍ୟୁ କରିବା ପରଠାରୁ ବୈଭବ ସୂର୍ଯ୍ୟବଂଶୀ ଗୋଟେ ପରେ ଗୋଟେ ରେକର୍ଡ ଭାଙ୍ଗିବାରେ ଲାଗିଛନ୍ତି । ନିଜ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଭୟର ସହ କ୍ରିକେଟ ଖେଳି ଅନେକ ଭାରତୀୟଙ୍କ ହୃଦୟ ଜିତିଛନ୍ତି ବୈଭବ । ଚଳିତ ସିଜିନରେ ଯଶପ୍ରୀତ ବୁମରା, ଯଶ ହାଜେଲଉଡ଼ ଓ ପ୍ୟାଟ କମିନ୍ସଙ୍କ ଭଳି ଅଭିଜ୍ଞ ବୋଲରଙ୍କୁ ପ୍ରଥମ ବଲରେ ଛକା ମାରି ସମସ୍ତଙ୍କୁ ଚକିତ କରିଛନ୍ତି । ଚମତ୍କାର ବ୍ୟାଟିଂ ସତ୍ୱେ ବୈଭବ ନିକଟରେ ନିଜ ବାପାଙ୍କୁ ହାତ ଯୋଡି କ୍ଷମା ମାଗିଛନ୍ତି, ତେବେ ଏହା ପଛର କାରଣ ଶୁଣିଲେ ଆପଣ ମଧ୍ୟ ଆଶର୍ଯ୍ୟ ହୋଇଯିବେ ।
ନିକଟରେ ରାଜସ୍ଥାନ ରୟାଲ୍ସର ସୋସିଆଲ ମିଡ଼ିଆ ପେଜରେ ବୈଭବଙ୍କ ଏକ ଭିଡିଓ ପୋଷ୍ଟ ହୋଇଥିଲା । ଯେଉଁଥିରେ ମ୍ୟାଚ ସରିଲା ପରେ ବୈଭବ ରାଜସ୍ଥାନ ରୟାଲ୍ସର ଟିମ ମ୍ୟାନେଜର ରୋମି ଭିନ୍ଦରଙ୍କ ସହ ଆଲୋଚନା କରୁଥିଲେ । ସେଦିନ ମ୍ୟାଚରେ ଶତକ କରିବା ପରେ ଭୁଲ ସର୍ଟ ଖେଳି ଆଉଟ ହେବାରୁ ନିଜ ଭୁଲ ସ୍ୱୀକାର କରିବା ସହ, ସେହି ଇନିଂସକୁ ଆହୁରି ବଡ କରିପାରିଥାନ୍ତେ ବୋଲି କହୁଥିଲେ ବୈଭବ ।
ଏହି ସମୟରେ ରୋମି ଭିନ୍ଦର ବୈଭବଙ୍କୁ ପଚାରିଥିଲେ କି ତମେ ଘର ଲୋକଙ୍କ ସହ କଥା ହେଲଣି ନା ନାହିଁ । ଯାହାର ଉତ୍ତରରେ ବୈଭବ କହିଥିଲେ କି ବର୍ତ୍ତମାନ ସୁଦ୍ଧା ହୋଇନାହିଁ କିନ୍ତୁ କଥା ହେବି । ଯାହା ପରେ ରୋମି ଭିନ୍ଦର କହିଥିଲେ କି ତମ ବାପା ମତେ କଲ କରିଥିଲେ ଓ କହିଲେ କି ବୈଭବ ଆଉଟ ହେବା ପରେ ସମସ୍ତଙ୍କୁ ମୁଣ୍ଡିଆ କାହିଁକି ମାରିଲେ ନାହିଁ । ଯାହା ଶୁଣି ବୈଭବ ତୁରନ୍ତ ରୋମି ଭିନ୍ଦରଙ୍କୁ ମୁଣ୍ଡିଆ ମାରିଥିଲେ ଓ ରୋମି ଭିନ୍ଦର କହିଥିଲେ କି ମତେ ନୁହେଁ ବରଂ ବାପା କୋଚଙ୍କୁ ମୁଣ୍ଡିଆ ମାରିବା କଥା କହୁଥିଲେ । ବୈଭବ କହିଥିଲେ କି ବାପା ନିଶ୍ଚିତ ମତେ ବୁଝେଇବେ କି କାହିଁକି ଆଉଟ ହେବା ପରେ ମୁଁ ବଡଙ୍କୁ ମୁଣ୍ଡିଆ ମାରିଲି ନାହିଁ । ଏହା ସହ ବୈଭବ କହିଥିଲେ କି ସେହି ସମୟରେ ଅନେକ ବରିଷ୍ଠ ଖେଳାଳି ଥିଲେ ଓ ସେତେବେଳେ ମୁଁ ସେ ବିଷୟରେ ଚିନ୍ତା କରିନଥିଲି ଓ ନିଜ ବାପାଙ୍କୁ ଏଥିପାଇଁ କ୍ଷମା ମଧ୍ୟ ମାଗିଥିଲେ ।
ଜଣେ ଭଲ କ୍ରିକେଟର ସହ ବୈଭବଙ୍କ ପିତାମାତା ତାଙ୍କୁ ଭଲ ମଣିଷ ବନାଇବା ପାଇଁ ଉଚିତ ଶିକ୍ଷା ମଧ୍ୟ ଦେଇଛନ୍ତି । ଯାହାଫଳରେ ବୈଭବଙ୍କ ସଂସ୍କାର ପଡିଆରେ ନଜର ଆସୁଛି । ଏତେ କମ ବୟସରେ ଏତେ ବଡ ବଡ କୀର୍ତ୍ତିମାନ ସତ୍ୱେ ପଡିଆରେ ବୈଭବଙ୍କ ଶାନ୍ତ, ସରଳ ସ୍ଵଭାଵ ସମସ୍ତଙ୍କୁ ପସନ୍ଦ ଆସୁଛି ।