ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁ ନିପାତ ହେବାର ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଜୈଶ ଏ ମହମ୍ମଦର ଜଣେ ବରିଷ୍ଠ କମାଣ୍ଡର ମୌଲାନା ସଲମାନ ଅଜହରର ପାକିସ୍ତାନର ବହାବଲପୁରରେ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଛି। ସ୍ଥାନୀୟ ସୂତ୍ର ଅନୁସାରେ, ଏକ ଅଜ୍ଞାତ ଗାଡ଼ି ଧକ୍କାରେ ତାହାର ମୃତ୍ୟୁ ହୋଇଛି। ତେବେ, ଏହି ଘଟଣାର ଏପର୍ଯ୍ୟନ୍ତ ପାକିସ୍ତାନ ତରଫରୁ ଆଧିକାରିକ ବୟାନ ଜାରି ହୋଇ ନାହିଁ। ମୃତ କମାଣ୍ଡର ସଲମାନ ଅଜହର ସଂଗଠନର ମୁଖ୍ୟ ମସୁଦ ଅଜହରର ବହୁତ ନିକଟତର ଥିଲା ଏବଂ ତା’ର କାର୍ଯ୍ୟକଳାପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା।
ଏହା ପୂର୍ବରୁ ମଧ୍ୟ ଏହିଭଳି ଏକ ଘଟଣା ସାମ୍ନାକୁ ଆସିସାରିଛି ଯେତେବେଳେ ଜୁନ୍, ୨୦୨୫ ରେ ଜୈଶ ଏ ମହମ୍ମଦର ଆଉ ଜଣେ ବଡ଼ କମାଣ୍ଡର ମୌଲାନା ଅବଦୁଲ ଅଜିଜ ଇସାରର ମଧ୍ୟ ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଯାଇଥିଲା। କିଛି ରିପୋର୍ଟରେ ତାର ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ଦାବି କରାଯାଇଥିଲା କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନ ଥିଲା। ଅବଦୁଲ ଅଜିଜ ଇସାର ଉପରେ ଭାରତରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପର ଷଡ଼ଯନ୍ତ୍ର ରଚିବାର ଅଭିଯୋଗ ଥିଲା। ତା ନାମ ୨୦୧୬ ର ନାଗରୋଟା ଆକ୍ରମଣ ଭଳି ଅନେକ ମାମଲା ସହିତ ତାଙ୍କ ନାମ ଯୋଡ଼ାଯାଇଥିଲା।
କିଏ ମାରୁଛି ଭାରତର ଶତ୍ରୁମାନଙ୍କୁ?
ପାକିସ୍ତାନରେ ହୋଇଥିବା ଏହା କ୍ରମାଗତ ଦ୍ୱିତୀୟ ଆତଙ୍କବାଦୀର ହତ୍ୟା। ଏହା ପୂର୍ବରୁ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟୀଦର ନିକଟତର ଏବଂ ଲସ୍କରର ପ୍ରମୁଖ ନେତା ଶେଖ ୟୁସୁଫ ଆଫ୍ରିଦିକୁ ୨୬ ଏପ୍ରିଲରେ ହତ୍ୟା କରାଯାଇଥିଲା। ତାକୁ ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀମାନେ ଅନ୍ଧାଧୁନ ଗୁଳି ଚଳାଇ ମାରିଥିଲେ। ଆକ୍ରମଣକାରୀଙ୍କ ଆକ୍ରମଣରୁ ତାକୁ ସମ୍ଭାଳିବାର ସୁଯୋଗ ମଧ୍ୟ ମିଳିଲା ନାହିଁ।
ଏହାର ଠିକ୍ ପୂର୍ବରୁ ଲସ୍କର-ଏ-ତୈବାର ସହ ସଂସ୍ଥାପକ ଏବଂ ଆତଙ୍କବାଦୀ ସଂଗଠନର ଦ୍ୱିତୀୟ ବଡ଼ ନେତା ଅମିର ହମଜା ଉପରେ ମଧ୍ୟ ଲାହୋରରେ ପ୍ରାଣଘାତୀ ଆକ୍ରମଣ କରାଯାଇଥିଲା। ଏଠାରେ ମଧ୍ୟ କିଛି ଅଜ୍ଞାତ ବନ୍ଧୁକଧାରୀ ଆସିଲେ ଏବଂ ତା’ ଉପରେ ତାରତୋଡ଼ ଗୁଳି ବର୍ଷାଇଲେ, ଆକ୍ରମଣରେ ହମଜା ଗମ୍ଭୀର ଭାବେ ଆହତ ହୋଇଥିଲା।
ବିଗତ ୨-୩ ବର୍ଷରେ ପାକିସ୍ତାନରେ ଯେଉଁଭଳି ଭାବେ ଆତଙ୍କବାଦୀ ସଂଗଠନଗୁଡ଼ିକର ବଡ଼ ଚେହେରାଗୁଡ଼ିକ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ବରଣ କରୁଛନ୍ତି,ତାହା ସୁରକ୍ଷା ସଂସ୍ଥାଗୁଡ଼ିକୁ ମଧ୍ୟ ଚକିତ କରିଦେଇଛି। ଏହା ପୂର୍ବରୁ ମଧ୍ୟ ଅନେକ ବଡ଼ ନାମ ଏହିଭଳି ଟାର୍ଗେଟର ଶିକାର ହୋଇଛନ୍ତି। ଖାସ୍ କଥା ଏହା ଯେ ଏହି ଆକ୍ରମଣଗୁଡ଼ିକର ତରିକା ପ୍ରାୟ ଏକାଭଳି - ନିକଟରୁ ଗୁଳି ଚାଳନା ଏବଂ ତୁରନ୍ତ ଫେରାର୍। ଏହାଦ୍ୱାରା ଏହା ସଂକେତ ମିଳୁଛି ଯେ ଏହି କାମ କୌଣସି ସଂଗଠିତ ନେଟୱାର୍କ ଦ୍ୱାରା କରାଯାଉଛି।
୨୦୨୩ ରେ ଏହିଭଳି ଘଟଣାଗୁଡ଼ିକରେ ହଠାତ୍ ତେଜି ଆସିଥିଲା, ଯେତେବେଳେ କିଛି ହିଁ ମାସରେ ଅନେକ ବଡ଼ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ୨୦୨୪ ଏବଂ ୨୦୨୫ ପରେ ୨୦୨୬ ରେ ମଧ୍ୟ ଏହି ଧାରା ଜାରି ରହିଛି।