ନୂଆଦିଲ୍ଲୀ: ସଲିମ୍ ଡୋଲାକୁ ଭାରତ ହାତରେ ଟେକି ଦେଇ ତୁର୍କୀ ଦ୍ୱିପାକ୍ଷିକ ସମ୍ପର୍କରେ ଥିବା ତିକ୍ତତାକୁ କମ୍ କରିବାକୁ ଚେଷ୍ଟା କରିଛି। ଭାରତ ଏହି ପଦକ୍ଷେପକୁ ସୁଧୁରିବାର ଏକ ସୁଯୋଗ ଭାବେ ଦେଖୁଛି, ଯଦିଓ ତୁର୍କୀ ଏବେ ବି ପାକିସ୍ତାନର ନିକଟତର ହୋଇ ରହିଛି। ସଲିମ୍ ଡୋଲା ଭାରତରେ ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ୱାଣ୍ଟେଡ୍ ଥିଲା।
ସଲିମ୍ ଡୋଲାକୁ ହସ୍ତାନ୍ତର ଏକ ଭଲ ସଙ୍କେତ:
ତୁର୍କୀର ଏହି ପଦକ୍ଷେପକୁ ଭାରତ ସ୍ୱାଗତ କରିଛି, କିନ୍ତୁ ନୂଆଦିଲ୍ଲୀ ଚାହୁଁଛି ଯେ ଆଗାମୀ ଦିନରେ ତୁର୍କୀ ଆହୁରି ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରୁ। ଭାରତ ଏହାକୁ ସମ୍ପର୍କ ସୁଧାରିବାର ପ୍ରାଥମିକ ପର୍ଯ୍ୟାୟ ବୋଲି ମାନୁଛି।
ପାକିସ୍ତାନ ସହ ତୁର୍କୀର ସମ୍ପର୍କ ଏବେ ବି ଚିନ୍ତାର ବିଷୟ:
ତୁର୍କୀକୁ ନେଇ ଭାରତର ସତର୍କତା ପଛରେ ବହୁତ ବଡ଼ କାରଣ ରହିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ 'ଅପରେସନ୍ ସିନ୍ଦୂର' ସମୟରେ ତୁର୍କୀର ଭୂମିକାକୁ ଭାରତ ଭୁଲିବା ସମ୍ଭବ ନୁହେଁ। ସେ ସମୟରେ ତୁର୍କୀ ଖୋଲାଖୋଲି ଭାବେ ପାକିସ୍ତାନକୁ ସମର୍ଥନ କରିଥିଲା।
କେମିତି ସମ୍ଭବ ହେଲା ସଲିମ୍ ଡୋଲାର ପ୍ରତ୍ୟର୍ପଣ?
• ଦୁଇ ଦେଶ ମଧ୍ୟରେ ସୀମା ସୁରକ୍ଷା ଏବଂ ଆନ୍ତର୍ଜାତୀୟ ଅପରାଧ ରୋକିବା ପାଇଁ ହୋଇଥିବା ନିରନ୍ତର ଆଲୋଚନାର ଏହା ହେଉଛି ଫଳ।
• ୨୦୦୩ ମସିହାରୁ ଭାରତ ଏବଂ ତୁର୍କୀ ମଧ୍ୟରେ ଏକ 'କାଉଣ୍ଟର-ଟେରରିଜିମ୍ ଜଏଣ୍ଟ ୱାର୍କିଂ ଗ୍ରୁପ୍' କାର୍ଯ୍ୟ କରୁଛି।
• ସଲିମ୍ ଡୋଲା ମାମଲାରେ ଦୁଇ ଦେଶର ବିଦେଶ ମନ୍ତ୍ରାଳୟ ମଧ୍ୟରେ ସିଧାସଳଖ ଆଲୋଚନା ହୋଇଥିଲା, ଯାହା ପରେ ତୁର୍କୀ ତାକୁ ଭାରତ ପଠାଇବାକୁ
ନିଷ୍ପତ୍ତି ନେଇଥିଲା।
ଅପରେସନ୍ ସିନ୍ଦୂର ପୂର୍ବରୁ ସମ୍ପର୍କ:
୨୦୨୫ ପୂର୍ବରୁ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ତୁର୍କୀ ଏକ ପ୍ରିୟ ସ୍ଥାନ ଥିଲା। ୨୦୨୪ରେ ପ୍ରାୟ ୩ ଲକ୍ଷରୁ ଅଧିକ ଭାରତୀୟ ସେଠାକୁ ଯାଇଥିଲେ। କିନ୍ତୁ ଯେତେବେଳେ ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କଲେ ଏବଂ ଭାରତ ବିରୋଧରେ ବ୍ୟବହାର ପାଇଁ ପାକିସ୍ତାନକୁ ଡ୍ରୋନ୍ ଯୋଗାଇଲେ, ସେବେଠାରୁ ସମ୍ପର୍କ ଖରାପ ହୋଇଥିଲା। ଅଥଚ ୨୦୨୩ରେ ତୁର୍କୀ ଭୂକମ୍ପ ସମୟରେ ଭାରତ ସବୁଠୁ ଆଗରେ ରହି ସାହାଯ୍ୟର ହାତ ବଢ଼ାଇଥିଲା।