ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ସଂପ୍ରତି ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଏହି ସମୟରେ, ୱାଶିଂଟନରୁ ଏକ ବଡ ଖବର ଆସିଛି ଯାହା ବିଶ୍ୱବ୍ୟାପୀ ବଜାରରେ ଅସ୍ଥିରତା ସୃଷ୍ଟି କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଆସନ୍ତା ସପ୍ତାହରୁ ୟୁରୋପୀୟ ସଂଘ (ଇୟୁ) ରୁ ଆମଦାନି ହେଉଥିବା କାର ଏବଂ ଟ୍ରକ୍ ଉପରେ ୨୫% ଶୁଳ୍କ ଲାଗୁ କରାଯିବ।
କାହିଁକି ଏହି ନିଷ୍ପତ୍ତି?
ଟ୍ରମ୍ପଙ୍କ କହିବା ଅନୁଯାୟୀ, ଦୀର୍ଘ ବର୍ଷ ଧରି ୟୁରୋପୀୟ ଦେଶଗୁଡ଼ିକ ବାଣିଜ୍ୟ କ୍ଷେତ୍ରରେ ଆମେରିକାର ଅନୁଚିତ ଫାଇଦା ଉଠାଉଛନ୍ତି। ଆମେରିକାର ଅଟୋମୋବାଇଲ୍ ଶିଳ୍ପକୁ ସୁରକ୍ଷା ଦେବା ଏବଂ ସ୍ଥାନୀୟ ନିଯୁକ୍ତି ବଢ଼ାଇବା ପାଇଁ ଏହି କଠୋର ପଦକ୍ଷେପ ନିଆଯାଇଛି।
ୟୁରୋପ ଉପରେ ଏହାର ପ୍ରଭାବ
ଏହି ଘୋଷଣା ପରେ ୟୁରୋପର ବଡ଼ ବଡ଼ କାର୍ କମ୍ପାନୀ ଯେପରିକି Volkswagen, BMW ଏବଂ Mercedes-Benz ର ଚିନ୍ତା ବଢ଼ିଯାଇଛି। ଆମେରିକା ହେଉଛି ୟୁରୋପୀୟ କାର୍ ପାଇଁ ଏକ ବଡ଼ ବଜାର। ୨୫% ଟ୍ୟାକ୍ସ ଲାଗିବା ପରେ ଆମେରିକାରେ ଏହି କାର୍ଗୁଡ଼ିକର ଦାମ ବହୁତ ବଢ଼ିଯିବ, ଯାହାଫଳରେ ବିକ୍ରି କମିବାର ସମ୍ଭାବନା ରହିଛି।
ବାଣିଜ୍ୟ ଯୁଦ୍ଧର ଆଶଙ୍କା
ଅର୍ଥନୈତିକ ବିଶେଷଜ୍ଞମାନେ ମନେ କରୁଛନ୍ତି ଯେ, ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁଁ ଆମେରିକା ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ବଡ଼ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇପାରେ। ଜବାବରେ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ଟ୍ୟାକ୍ସ ବଢ଼ାଇ ପାରନ୍ତି।
ଏହି ବର୍ଷ ଆରମ୍ଭରେ ଆମେରିକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରୁ ସମ୍ପୂର୍ଣ୍ଣ ବିବାଦ ସୃଷ୍ଟି ହୋଇଛି। ୨୦୨୫ ଚୁକ୍ତିନାମା ଉପରେ ପ୍ରଶ୍ନ ଉଠିଥିଲା ଯେତେବେଳେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ ରାଷ୍ଟ୍ରପତିଙ୍କ ପାଖରେ EU ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିବା କିମ୍ବା ଅର୍ଥନୈତିକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାର ଆଇନଗତ ଅଧିକାର ନାହିଁ। ପ୍ରାରମ୍ଭରେ, ୟୁରୋପୀୟ ସାମଗ୍ରୀ ଉପରେ ୧୫% ଶୁଳ୍କ ସୀମା ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ, ଏହି ସୀମା ୧୦% କୁ ହ୍ରାସ କରାଯାଇଥିଲା।