ଅହମ୍ମଦାବାଦ: ଆଇପିଏଲର ୪୨ତମ ମ୍ୟାଚରେଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ୱିକେଟରେ ପରାସ୍ତ କରିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭୁବନେଶ୍ୱର କୁମାରଙ୍କ ଐତିହାସିକ ପ୍ରଦର୍ଶନ ସତ୍ତ୍ୱେ, ବେଙ୍ଗାଲୁରୁ ମ୍ୟାଚ୍ ଜିତି ପାରିନାହିଁ । ଭୁବନେଶ୍ୱର ମ୍ୟାଚରେ ତିନୋଟି ୱିକେଟ ନେଇ ନିଜର ଟି-୨୦ କ୍ୟାରିୟରରେ ୩୫୦ ୱିକେଟ ହାସଲ କରିଛନ୍ତି ।
ଟସ୍ ହାରିବା ପରେ, ଆରସିବି ପ୍ରଥମେ ବ୍ୟାଟିଂ କରିଥିଲା । ବିରାଟ କୋହଲି ୨୮ ରନ୍ ଏବଂ ଦେବଦତ୍ତ ପାଡିକ୍କଲ୍ ୪୦ ରନ୍ କରିଥିଲେ। ଅନ୍ୟ ସମସ୍ତ ଆରସିବି ବ୍ୟାଟର ବିଫଳ ହୋଇଥିଲେ, ଏବଂ ଦଳ ୧୫୫ ରନ୍ କରିବାରେ ସଫଳ ହୋଇଥିଲା।
ଭୁବନେଶ୍ୱର କୁମାର ଇତିହାସ ରଚିଲେ
ଏହି ମ୍ୟାଚ୍ରେ ସାଇ ସୁଦର୍ଶନଙ୍କ ୱିକେଟ ନେଇ ଭୁବନେଶ୍ୱର କୁମାର ତାଙ୍କ ଟି-୨୦ କ୍ୟାରିୟରରେ ୩୫୦ ୱିକେଟ ହାସଲ କରିଥିଲେ। ୟୁଜଭେନ୍ଦ୍ର ଚହଲଙ୍କ ପରେ ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ। ଭୁବନେଶ୍ୱର କୁମାର ନିଜର ୩୨୫ତମ ମ୍ୟାଚ୍ରେ ୩୫୦ ୱିକେଟ ହାସଲ କରିଥିଲେ। ଗୁଜୁରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍ରେ ସେ ସାଇ ସୁଦର୍ଶନ, ଶୁଭମନ ଗିଲ୍ ଏବଂ ଜୋସ୍ ବଟଲରଙ୍କ ୱିକେଟ୍ ନେଇ ମୋଟ ଟି-୨୦ ୱିକେଟ୍ ସଂଖ୍ୟା ୩୫୨ରେ ପହଞ୍ଚାଇଥିଲେ।
ଗୁଜୁରାଟର ପଞ୍ଚମ ବିଜୟ
ଏହା ଆଇପିଏଲ୍ ୨୦୨୬ ସିଜିନ୍ରେ ଗୁଜୁରାଟ ଟାଇଟାନ୍ସର ପଞ୍ଚମ ବିଜୟ ଥିଲା । ଏହି ମ୍ୟାଚ୍ ଜିତି ୧୦ ପଏଣ୍ଟ ସହିତ ପଏଣ୍ଟ ଟେବୁଲ୍ରେ ପଞ୍ଚମ ସ୍ଥାନରେ ପହଞ୍ଚିଛି ଗୁଜରାଟ । ଆରସିବି ପରାଜୟ ପରେ ବି ନିଜର ଦ୍ୱିତୀୟ ସ୍ଥାନ ବଜାୟ ରଖିଛି ।
୧୫୬ ରନର ଟାର୍ଗେଟ୍ ପିଛା କରି ଗୁଜୁରାଟ ସାଇ ସୁଦର୍ଶନଙ୍କୁ ଶୀଘ୍ର ହରାଇଥିଲା, କିନ୍ତୁ ଅଧିନାୟକ ଶୁଭମନ ଗିଲ୍ ୧୮ ବଲ୍ରେ ୪୩ ରନ୍ କରି ଦଳର ବିଜୟ ସହଜ କରିଥିଲେ । ବିରାଟ କୋହଲି ଗିଲ୍ଙ୍କୁ ଆଉଟ୍ କରିବା ପାଇଁ ଏକ ଅବିଶ୍ୱସନୀୟ କ୍ୟାଚ୍ ଖେଳିଥିଲେ। ଜସ୍ ବଟଲର ୧୯ ବଲ୍ରେ ୩୯ ରନର ବେଶ ଉପଯୋଗୀ ଇନିଂସ ଖେଳିଥିଲେ ।
ଶେଷରେ, ପ୍ରଭାବଶାଳୀ ଖେଳାଳି ରାହୁଲ ତେୱାଟିଆ ୧୭ ବଲ୍ରେ ଅପରାଜିତ ୨୭ ରନ୍ କରି ଗୁଜୁରାଟର ପଞ୍ଚମ ବିଜୟ ସୁନିଶ୍ଚିତ କରିଥିଲେ। ଏହା ଗୁଜୁରାଟ ପାଇଁ ଏକ ବଡ଼ ବିଜୟ ଥିଲା କାରଣ ଦଳ ୨୫ ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରି ନେଇଥିଲା ।