ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସ ଛାତିରେ ଛନକା ପଶିଛି । ଘୋଡ଼ା ବେପାର ଆଶଙ୍କାରେ ଦଳୀୟ କଟକଣା ଲାଗୁ କରାଯାଇଛି । କଂଗ୍ରେସର ସମସ୍ତ ବିଧାୟକଙ୍କୁ ହ୍ୱିପ୍ ଜାରି କରାଯାଇଛି । ଶୁକ୍ରବାରରୁ ସୋମବାର ମଧ୍ୟରେ ଭୁବନେଶ୍ୱର ନ ଛାଡ଼ିବାକୁ ଦଳ କଡ଼ା ନିର୍ଦ୍ଦେଶ ।
ଗତକାଲି ବିଜେଡ଼ି ପରେ ଆଜି କଂଗ୍ରେସ ନିଜ ସଦସ୍ୟଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଛି । ଆସନ୍ତା ୧୩ ତାରିଖରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ନିର୍ଦ୍ଦେଶ ପାଳନ ନ କରନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ତେବେ ହ୍ୱିପ୍ ନେଇ ବିଜେପି ସମାଲୋଚନା କରିଛି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯଦି ମନରେ ଏତେ ଡର ଥିଲା ତାହା ହେଲେ ସଂଖ୍ୟା ଗରିଷ୍ଠତା ନ ଥାଇ କାହିଁକି ପ୍ରାର୍ଥୀ ଦେଉଥିଲେ ।
ଗତକାଲି ବିଜେଡ଼ି ମଧ୍ୟ ସମାନ ଢଙ୍ଗରେ ହ୍ୱିପ୍ ଜାରି କରିଥିଲା । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେଉଁମାନେ ଦୂର ଦୂରାନ୍ତରୁ ଆସୁଛନ୍ତି, ନିର୍ବାଚନ ଦିନରେ ସଠିକ୍ ସମୟରେ ପହଁଚି ପାରିବେ କିମ୍ବା ନ ପହଁଚି ପାରିବେ ସେଥିପାଇଁ ହ୍ୱିପ୍ ଜାରି କରାଯାଇଛି ।
ବିଜେଡ଼ି ଏବଂ କଂଗ୍ରେସ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ୍ ପ୍ରାର୍ଥୀ କରିଛନ୍ତି । ସେପଟେ ସେହି ଚତୁର୍ଥ ଆସନ ପାଇଁ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ ବିଜେପି ପୂର୍ଣ୍ଣ ସମର୍ଥନ ଦେବ ବୋଲି ଘୋଷଣା କରିଛି । ତଥାପି 8ଟି ଭୋଟ୍ କମ୍ ପଡ଼ୁଥିବାରୁ କ୍ରସ୍ ଭୋଟିଂ ହେବାର ସମ୍ଭାବନା ରହିଛି ।