ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯିବା ପରେ ଏବେ କଂଗ୍ରେସ ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଯୋଜନା କରୁଛନ୍ତି । ବିରୋଧୀ ଦଳର ୨ ବରିଷ୍ଠ ନେତା ସୋମବାର ଏହାର ସଙ୍କେତ ଦେଇଛନ୍ତି । ଯଦି ବିରୋଧୀ ସଂସଦରେ ମହାଭିଯୋଗର ନୋଟିସ୍ ଦିଏ, ତେବେ ଦେଶରେ ପ୍ରଥମ ଥର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ମହାଭିଯୋଗ ହେବ ।
କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି, ଏସଆଇଆର ପ୍ରତିବାଦରେ ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯିବ । ଇଣ୍ଡିଆ ମହାମେଣ୍ଟର ସହଯୋଗୀ ଦଳଗୁଡିକ ସହ ଆଲୋଚନା ହୋଇଛି । ସମସ୍ତ ପାର୍ଟି ଅଲଗା ଅଲଗା ରାଜ୍ୟରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ପୁନଃ ନିରୀକ୍ଷଣ ବିରୋଧରେ କୁମାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ । ଆମେ ଆଶା କରୁଛୁ ଯେ, ଏବେ ଓମ ବିର୍ଲାଙ୍କ ବିରୋଧରେ ନୋଟିସ୍ ଉପରେ ମଙ୍ଗଳବାର ବିଚାର କରାଯିବ ।
ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ପଦରୁ ହଟାଇବା ପାଇଁ ସଂସଦର ଯେ କୌଣସି ଗୃହରେ ପ୍ରସ୍ତାବ ଆଗତ କରାଯାଇ ପାରିବ । ଏହି ପ୍ରସ୍ତାବ ଗୃହୀତ ପାଇଁ ସ୍ୱତନ୍ତ୍ର ବହୁମତର ଆବଶ୍ୟକତା ରହିଛି । ଅର୍ଥାତ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ ଗୃହର ମୋଟ୍ ସଦସ୍ୟ ସଂଖ୍ୟାର ବହୁମତ ଏବଂ ଉପସ୍ଥିତ ରହି ମତଦାନ କରୁଥିବା ସାଂସଦଙ୍କ ଦୁଇ ତୃତୀୟାଂଶ ସମର୍ଥନ ଦରକାର ।
ଏହି ଖବର ଏମିତି ସମୟରେ ଆସିଛି ଯେତେବେଳେ ବିରୋଧୀ ଏସଆଇଆରକୁ ନେଇ ନିର୍ବାଚନ ଆୟୋଗଙ୍କୁ ଲଗାତାର ଟାର୍ଗେଟ୍ କରୁଛନ୍ତି । ଗତ ବର୍ଷ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହାକୁ ନେଇ ବଡ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ । ଆୟୋଗ ଉପରେ ଭୋଟ୍ ଚୋରିର ଅଭିଯୋଗ ଲଗାଇଥିଲେ । ଅନ୍ୟପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସଆଇଆର ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରକ୍ରିୟା ଉପରେ ରୋକ୍ ଲଗାଇ ନାହାନ୍ତି ।