ନୂଆଦିଲ୍ଲୀ: ଲୋକସଭାର ବାଚସ୍ପତି ଓମ ବିର୍ଲା ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇ ସାରିଛି । ଗତକାଲି ଧ୍ୱନି ମତରେ ପ୍ରସ୍ତାବ ଖାରଜ ହୋଇଥିଲା । ଏହା ପରେ ଆଜି ଗୃହକୁ ପ୍ରଥମ ଥର ସମ୍ବୋଧିତ କରିଛନ୍ତି ଓମ ବିର୍ଲା । ଏହି ସମୟରେ ସେ କହିଛନ୍ତି, ତାଙ୍କ ବିପକ୍ଷରେ ଲଗାଯାଇଥିବା ଅଭିଯୋଗ ପ୍ରମାଣିତ ହୋଇ ପାରିଲାନି । ସେ ବିରୋଧୀ ହେଉ କି ଶାସକ ହେଉ କେହି ଗୃହର ଉର୍ଦ୍ଧ୍ୱରେ ନାହାନ୍ତି । ଯେଉଁ ସାଂସଦ ସଂସଦର ମର୍ଯ୍ୟାଦାକୁ ଭଙ୍ଗ କରିବେ,ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଉଲ୍ଲେଖନୀୟ ଓମ ବିର୍ଲା ପୂରା ଅନାସ୍ଥା ପ୍ରସ୍ତାବ ଉପରେ ନିଜ ପଦରୁ ଦୂରେଇ ରହିଥିଲେ ।
ଓମ ବିର୍ଲା କହିଛନ୍ତି, ସଭିଙ୍କୁ କହିବାର ବରାବର ସୁଯୋଗ ମିଳିବ । ଅନାସ୍ଥା ପ୍ରସ୍ତାବ ଉପରେ ଦୁଇ ଦିନ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ଏହା ୧୪୦ କୋଟି ଜନତାଙ୍କ ସଦନ । ଗୃହର ନିୟମ ମାନି ଚଳିବା ସଭିଙ୍କ କାମ । ମୋ ଉପରେ ବିରୋଧୀଙ୍କ ସ୍ୱର ଦବାଇବାର ଅଭିଯୋଗ ହୋଇଥିଲା । କିନ୍ତୁ ସଂସଦୀୟ ବ୍ୟବସ୍ଥାରେ ମୋର ଅତୁଟ ଭରସା ରହିଛି । ଗୃହରେ ସହମତି ଏବଂ ଅସହମତିର ପରମ୍ପରା ରହିଛି । ମୁଁ ପ୍ରତ୍ୟେକ ସଦସ୍ୟଙ୍କ କଥାକୁ ଗମ୍ଭୀରତା ସହ ଶୁଣିଛି । ମୁଁ ସମର୍ଥନ ଦେଇଥିବା ଏବଂ ସମାଲୋଚନା କରିଥିବା ସମସ୍ତ ସାଂସଦଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି । ଏହି ଆସନ କୌଣସି ବ୍ୟକ୍ତିଙ୍କ ନୁହେଁ ବୋଲି ବିର୍ଲା କହିଛନ୍ତି ।
ନିଜର ସମ୍ବୋଧନ ଆରମ୍ଭରେ ସେ କହିଛନ୍ତି ଯେ, ମୁଁ ସର୍ବଦା ଚେଷ୍ଟା କରି ଆସିଛି ଯେ, ଲୋକସଭାରେ ପ୍ରତ୍ୟେକ ସଦସ୍ୟ ନିୟମ ଅନସାରେ ନିଜର ବିଚାର ରଖନ୍ତୁ । ଏଥିପାଇଁ ସଭିଙ୍କୁ ସମୟ ଦେବାକୁ ଉଦ୍ୟମ କରିଛି । ମୁଁ ସର୍ବଦା ଏହା ପ୍ରୟାସ କରୁଛି ଯେ, ଗୃହର କାର୍ଯ୍ୟ ନିରପେକ୍ଷ, ଅନୁଶାସନ, ସନ୍ତୁଳନ ଓ ନିୟମ ସହିତ ସଞ୍ଚାଳିତ ହେଉ । ମୁଁ ମୋର ନୈତିକ କର୍ତ୍ତବ୍ୟର ପାଳନ କରି ନିଜ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ସମୟରେ କାର୍ଯ୍ୟରୁ ଦୂରେଇ ରହିଥିଲି ।
Also read: ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣା; କ୍ଷମା ପ୍ରାର୍ଥନା ପାଇଁ ମମତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ