ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ବଦଳିଛନ୍ତି । ଜୟପୁର ଉପଜିଲ୍ଲାପାଳ ଆଇଏଏସ ଅକବରମ୍ ସସ୍ୟ ରେଡ୍ଡି ବିଏମସିର ନୂତନ ଆୟୁକ୍ତ ହୋଇଛନ୍ତି । ତତସହିତ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏହି ଦାୟିତ୍ୱରେ ଥିବା ଆଇଏଏସ୍ ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ମାଲକାନଗିରିର ନୂତନ ଜିଲ୍ଲାପାଳ ହୋଇଛନ୍ତି ।
ବଣାଇ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ ପାରଦୀପର ଅତିରିକ୍ତ ଜିଲ୍ଲାପାଳ ହୋଇଛନ୍ତି । ଏଗା ସହିତ ରାଜ୍ୟ ସରକାର ପିଲ୍ଲେ ଙ୍କୁ ଜଗତସିଂହପୁର ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତ କରିଛନ୍ତି । ପଦମପୁର ଉପ-ଜିଲ୍ଲାପାଳ ଅରୁଗୁଲା ସ୍ନେହା ମୟୁରଭଞ୍ଜ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି । ତାଳଚେର ଉପ-ଜିଲ୍ଲାପାଳ ସମୀର କୁମାର ଜେନାଙ୍କୁ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି । ରାଇରଙ୍ଗପୁର ଉପ-ଜିଲ୍ଲାପାଳ ସୌମ୍ୟରଂଜନ ପ୍ରଧାନ କଳାହାଣ୍ଡି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି ।
ସେହିପରି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ତଥା ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ଶାସନ ସଚିବ ମନୀଷ ଅଗ୍ରୱାଲଙ୍କୁ ଓଡିଶା ସମବାୟ ସମିତି ସମୂହର ନିବନ୍ଧକ ଭାବରେ ନିଯୁକ୍ତ କରାଯାଇଛି । ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଅତିରିକ୍ତ ଶାସନ ସଚିବ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଅତିରିକ୍ତ ଦାୟିତ୍ୱ ବହନ କରିବେ । ଏହି ଦାୟିତ୍ୱରେ ଥିବା ଆଇଏଏସ୍ ରଶ୍ମିତା ପଣ୍ଡାଙ୍କୁ ଅପସାରଣ କରାଯାଇଛି ।
ଓଡିଶା ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି ।
ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଶାସନ ସଚିବ ଓ ରାଜସ୍ଵ ଅଧିକାରୀ ତାଲିମ ପ୍ରତିଷ୍ଠାନ ନିର୍ଦ୍ଦେଶ ଦାୟିତ୍ୱରେ ଥିବା ଆଇଏଏସ୍ ମଧୁସ୍ମିତା ସାହୁଙ୍କୁ ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଅନୁସନ୍ଧାନ ଏବଂ ତାଲିମ ପରିଷଦ (TE & SCERT)ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଏହା ସହିତ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଭାବରେ ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି ।
ଆଇଏଏସ୍ ଉପମା କାଲୋଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ ମଣ୍ଡଳ ଆୟୁକ୍ତଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଲିଲି କୁମାରୀ କୁଲୁଙ୍କୁ ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତ କରାଗଲା ।
ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଥିବା ସୋମେଶ କୁମାର ଉପାଧ୍ୟାୟ ବୟନ ଏବଂ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ତଥା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଅତିରିକ୍ତ ଉପାଧ୍ୟକ୍ଷ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ ନିଯୁକ୍ତ କରାଗଲା ।