ମାଲକାନଗିରି: ଗୁରୁବାର ଦିନ ଆନ୍ଧ୍ରପ୍ରଦେଶ ସୀମାରେ ସନ୍ଦିଗ୍ଧ ବନ୍ୟପ୍ରାଣୀ ଚାଲାଣ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ।ମାଲକାନଗିରି ବନ ବିଭାଗ ଅନ୍ତର୍ଗତ ମୋଟୁ ରେଞ୍ଜର କର୍ମଚାରୀମାନେ ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ୬୩୧ଟି କଇଁଛ ଜବତ କରିଛନ୍ତି। ଯାହାଙ୍କର ଓଜନ ପ୍ରାୟ ୨.୨ ଟନ୍ ରହିଛି। ଆନ୍ଧ୍ରରୁ ମାଲକାନଗିରିକୁ ଏକ ବୋଲେରୋ ପିକ୍ଅପ୍ ଯୋଗେ କଇଁଛ ଚୋରା ଚାଲାଣ ବେଳେ ମୋଟୁ ବନ ବିଭାଗ ବୁଧବାର ଗାଡ଼ିକୁ ଅଟକାଇ ଉକ୍ତ କଇଁଛ ଜବତ କରିଛି। ସେଥିମଧ୍ୟରୁ ୭୦ଟି କଇଁଛ ମୃତ ଥିବା ଜଣାପଡ଼ିଛି। ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ମୁତାବିକ, ଏହି ଅଞ୍ଚଳରେ ଅବୈଧ କଇଁଛ ବ୍ୟବସାୟ କାର୍ଯ୍ୟକଳାପ ବିଷୟରେ ଗୁପ୍ତ ସୂଚନା ପାଇବା ପରେ ମୋଟୁ ଫରେଷ୍ଟ ରେଞ୍ଜର ଅଧିକାରୀମାନେ ଏହି ଅଭିଯାନ ଚଳାଇଥିଲେ। ବନ ଅଧିକାରୀଙ୍କ କହିବା ଅନୁଯାୟୀ, ମୋଟୁ ସୀମାନ୍ତ ଅଞ୍ଚଳ ନିକଟରେ ଏହି ଚଢାଉ କରାଯାଇଥିଲା ଯେଉଁଠାରେ ଆନ୍ଧ୍ରପ୍ରଦେଶର ଦୁଇ ଜଣ ବ୍ୟବସାୟୀ ଅନ୍ୟ ପାଞ୍ଚ ଜଣ ବ୍ୟବସାୟୀଙ୍କୁ କଇଁଛ ବିକ୍ରି କରିବାକୁ ଚେଷ୍ଟା କରୁଥିଲେ ବୋଲି ଅଭିଯୋଗ ହୋଇଛି। ଚୋରାଚାଲାଣରେ ସମ୍ପୃକ୍ତ ଥିବା ୭ ଜଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ଗୋଟିଏ ଚାରି ଚକିଆ ଯାନ, ଦୁଇଟି ମୋଟରସାଇକେଲ ଏବଂ ଛଅଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।
ଲକ୍ଷ ଲକ୍ଷ ଟଙ୍କାର କଇଁଛ ଜବତ
ବନ ଅଧିକାରୀମାନେ କହିଛନ୍ତି ଯେ ଉଦ୍ଧାର କଇଁଛଗୁଡ଼ିକୁ ୩୮ଟି ଟ୍ରେରେ ପରିବହନ କରାଯାଉଥିଲା ଏବଂ ସେମାନଙ୍କର ମିଳିତ ଓଜନ ପ୍ରାୟ ଦୁଇ ଟନ୍ ଥିଲା। ଅବୈଧ ବନ୍ୟପ୍ରାଣୀ ବାଣିଜ୍ୟ ବଜାରରେ ଏହି ପ୍ରାଣୀଙ୍କ ମୂଲ୍ୟ ବହୁ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଜବତ କଇଁଛଗୁଡ଼ିକୁ ଏବେ ବନ ବିଭାଗର ନିଜ ହେପାଜତକୁ ନେଇଛି।
ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଅଭିଯୁକ୍ତମାନେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ କାର୍ଯ୍ୟ କରୁଥିବା ଏକ ସୀମାପାର ବନ୍ୟପ୍ରାଣୀ ଚାଲାଣ ନେଟୱାର୍କର ଅଂଶ ଥିଲେ। ମାର୍ଚ୍ଚ ୧ ତାରିଖରେ, କାଲିମେଳା ବନ ବିଭାଗ ମାଲକାନଗିରି ଜିଲ୍ଲାର MV-62 ଗ୍ରାମ ନିକଟସ୍ଥ ଏକ ଜଙ୍ଗଲ ଅଞ୍ଚଳରୁ ପ୍ରାୟ ୨୦୦ ଜୀବନ୍ତ କଇଁଛ ଉଦ୍ଧାର କରିଥିଲା। କଇଁଛ ଚୋରା ଚାଲାଣର ବାରମ୍ବାର ଘଟଣା ସୀମାବର୍ତ୍ତୀ ଅଞ୍ଚଳରେ ନିରୀକ୍ଷଣ ଏବଂ କାର୍ଯ୍ୟାନୁଷ୍ଠାନ ବୃଦ୍ଧି ବନବିଭଗ ପାଇଁ ଚିନ୍ତା ବଢ଼ାଇଛି।
ଅଧିକ ପଢନ୍ତୁ: କର୍ତ୍ତବ୍ୟରେ ଅବହେଳା ପାଇଁ ବନ ବିଭାଗର ୩ କର୍ମଚାରୀ ନିଲମ୍ବିତ; ଅଗ୍ନି ପରିଚାଳନାରେ ତ୍ରୁଟି ଯୋଗୁ କାର୍ଯ୍ୟାନୁଷ୍ଠାନ