ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାର ବିରୂପା ବ୍ୟାରେଜ୍ ଏକ ନମ୍ବର ଗେଟ ନିକଟରେ ଦୁଇ ଭାଇଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଦୁଇ ଜଣ ଚୌଦ୍ୱାର ମଣ୍ଡାପଡ଼ା ଅଞ୍ଚଳର ଦେବାଶିଷ ସାହୁ ଓ ଶୁଭାଶିଷ ସାହୁ ।
ଦେବାଶିଷ ସାହୁ ଓ ଶୁଭାଶିଷ ସାହୁ ମଣ୍ଡାପଡ଼ା ଅଞ୍ଚଳରେ ରହୁଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ବଡ଼ସାନ ନାମରେ ଜାଣନ୍ତି । ଗତ ଏକ ବର୍ଷ ହେଲା ସେମାନେ ସେଠାରେ ଘର ଦ୍ୱାର ବିକି ଅନ୍ୟସ୍ଥାନରେ ରହୁଥିଲେ । ଗତ ଦୁଇ ଦିନ ତଳୁ ଦୁଇ ଭାଇ ନିଖୋଜ ଥିଲେ । ସେମାନଙ୍କ ବାଇକ୍ ବିରୂପା ବ୍ୟାରେଜ ନିକଟରେ ମିଳିଥିଲା । ପୋଲିସ ବାଇକକୁ ଜବତ କରିଥିଲା । ହେଲେ ଆଜି ସକାଳୁ ଦୁଇ ଜଣଙ୍କ ମୃତ ଦେହ ବ୍ୟାରେଜ ନିକଟରେ ଭାସୁଥିବାର ମତ୍ସ୍ୟଜୀବୀମାନେ ଦେଖିଥିଲେ । ଏ ନେଇ ସେମାନେ ଅଗ୍ନିଶମ ଅଧିକାରୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଦୁଇ ଜଣଙ୍କ ମୃତ ଦେହକୁ ଉଦ୍ଧାର କରିଛି ।
ତେବେ ଦୁଇ ଭାଇ କେମିତି ଏକାସାଙ୍ଗରେ ନଦୀରେ ପଡ଼ିଲେ ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନଥିବାବେଳେ ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।