ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ନେଇ ବିରୋଧୀ ଦଳ ହୀନ ରାଜନୀତି ଆରମ୍ଭ କରିଦେଇଛନ୍ତି । ଗୁରୁବାର ଗୃହରେ ବିରୋଧୀ ଦଳ କଂଗ୍ରେସ ନାରାବାଜି କରିଛି । ଫଳରେ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଛି । ବାଚସ୍ପତି ସୁରମା ପାଢ଼ୀ ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ ରଖିଛନ୍ତି ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ସାରା ଦେଶରେ ଇନ୍ଧନ ଗ୍ୟାସ ସଙ୍କଟ ଦେଖା ଦେଇଛି । ଯାହାକୁ କେନ୍ଦ୍ର କରି ସରକାରଙ୍କୁ କଂଗ୍ରେସ ଘେରିଛି । ଆଜି ଗୃହ କାର୍ଯ୍ୟ ଆରମ୍ଭ କ୍ଷଣି ବିରୋଧୀ ଦଳ ସଦସ୍ୟ ହାତରେ ପ୍ଲା କାର୍ଡ ଧରି ନିଜ ନିଜ ଆସନରୁ ଉଠି ହଙ୍ଗାମା ଆରମ୍ଭ କରିଥିଲେ । କିଛି ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ । ବାଚସ୍ପତି ବାରମ୍ବାର ନିଜ ଆସନରେ ବସିବାକୁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିଲେ । ମାତ୍ର ବିରୋଧୀ ହଟ୍ଟଗୋଳ ଜାରି ରଖିଥିଲେ । ବାଚସ୍ପତି ବାଧ୍ୟ ହୋଇ ପ୍ରଶ୍ନକାଳକୁ ବାତିଲ କରିଥିଲେ ।