ନୂଆଦିଲ୍ଲୀ: ସମଗ୍ର ଦୁନିଆରେ ଅଶୋଧିତ ତୈଳ ଦରକୁ ନେଇ ଜାରି ହାହାକାର ପରିସ୍ଥିତି ମଧ୍ୟରେ ଇରାନ ଭାରତକୁ ବଡ ଆଶ୍ୱସ୍ତି ଦେଇଛି । ଇରାନ ଭାରତର ପତାକା ଥିବା ତୈଳ ଟ୍ୟାଙ୍କରକୁ ହର୍ମୁଜ ଜଳଡମରୁମଧ୍ୟରେ ଯାତାୟତ କରିବାକୁ ଅନୁମତି ଦେଇଛି । ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ହସ୍ତକ୍ଷେପ ପରେ ଇରାନ ଭାରତକୁ ଏହି ଆଶ୍ୱସ୍ତି ଦେଇଛି । ନିକଟରେ ଜୟଶଙ୍କର ଓ ଇରାନ ବୈଦେଶିକ ମନ୍ତ୍ରୀ ଅବ୍ୱାସ ଅରାଘଚିଙ୍କ ମଧ୍ୟରେ ଆଲୋଚନା ପରେ ଇରାନ ଏହି ନିଷ୍ପତ୍ତି ନେଇଛି ।
ଇରାନ ପକ୍ଷରୁ ଏହି ଆଶ୍ୱସ୍ତି ମିଳିବା ପରେ ଦୁଇ ଭାରତୀୟ ତୈଳ ଟ୍ୟାଙ୍କର ପୁଷ୍ପକ ଓ ପରିମଳ ସୁରକ୍ଷିତ ଭାବେ ହର୍ମୁଜ ଦେଇ ଗତି କରିଛି । ଏହା ପୂର୍ବରୁ ଅନ୍ୟ ଏକ ତୈଳ ଟ୍ୟାଙ୍କର ଯାହାର କ୍ୟାପଟେନ୍ ଭାରତୀୟ ଥିବା କୁହାଯାଉଛି, ଉକ୍ତ ଟ୍ୟାଙ୍କର ଜର୍ମୁଜ ଅତିକ୍ରମ କରି ସାରିଛି । ଯୁଦ୍ଧ ଆରମ୍ଭ ହେବା ପରେ ଏହି ମାର୍ଗକୁ ଅତିକ୍ରମ କରିବାରେ ଏହା ହେଉଛି ପ୍ରଥମ ଜାହାଜ । ରିପୋର୍ଟ ମୁତାବକ ସାଉଦି ଆରବ ଅଶୋଧିତ ତୈଳ ନେଇ ଯାଉଥିବା ଏହା ଲାଇବେରିଆର ପତାକା ଥିବା ଟ୍ୟାଙ୍କର ଦୁଇ ଦିନ ପୂର୍ବେ ହର୍ମୁଜ ଷ୍ଟ୍ରେଟ ଦେଇ ଗତି କରିଛି । ବର୍ତ୍ତମାନ ଏହା ମୁମ୍ବାଇ ବନ୍ଦରରେ ରହିଛି ।
ଅନେକ ଥର ଅରାଘଚି ସହ କଥା ହେଲେ ଜୟଶଙ୍କର
ଏହା ପୂର୍ବରୁ ଆମେରିକା ଓ ଇସ୍ରାଏଲ ଦ୍ୱାରା ଇରାନ ଉପରେ ମିଳିତ ଆକ୍ରମଣ ଆରମ୍ଭ ହେବା ପରଠୁ ଜୟଶଙ୍କର ଇରାନୀ ବୈଦେଶିକ ମନ୍ତ୍ରୀ ଆରାଘଚି ସହ ତିନି ଥର ଆଲୋଚନା କରିଛନ୍ତି । ଗତ ମଙ୍ଗଳବାର ଜୟଶଙ୍କର ଜଣାଇଥିଲେ ଯେ, ଅରାଘଚିଙ୍କ ସହ ସଂଘର୍ଷ ସମ୍ବନ୍ଧିତ ଘଟଣାକ୍ରମ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି । ଏହା ପରେ ଦୁଇ ଦେଶ ସଂପର୍କ ବଜାୟ ରଖିବା ନେଇ ସହମତି ପ୍ରକାଶ କରିଛନ୍ତି । ଜୟଶଙ୍କର ଏହି ସମୟରେ ଅରାଘଚୀଙ୍କୁ ଇରାନ ଓ କ୍ଷେତ୍ରରେ ହେଉଥିବା ଘଟଣାକ୍ରମ ଉପରେ ଭାରତ ଗଭୀର ଚିନ୍ତା ପ୍ରକାଶ କରିଥିଲେ ।
Also read: ଓମାନର ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ, ଜଳିଗଲା ଅଶୋଧିତ ତୈଳ ଟ୍ୟାଙ୍କ