ନୂଆଦିଲ୍ଲୀ: ଆଜିର ବ୍ୟସ୍ତବହୁଳ ଜୀବନ ଓ ଖରାପ ଲାଇଫ୍ଷ୍ଟାଇଲ୍ର ସବୁଠାରୁ ବଡ଼ ପ୍ରଭାବ ଆମ ଶରୀରର ଫିଲ୍ଟର ଭାବେ କାମ କରୁଥିବା କିଡନୀ ଉପରେ ପଡ଼ୁଛି। ୱାଶିଂଟନ୍ ୟୁନିଭର୍ସିଟିର ଇନ୍ଷ୍ଟିଟ୍ୟୁଟ୍ ଫର୍ ହେଲ୍ଥ ମେଟ୍ରିକ୍ସ ଏଣ୍ଡ ଇଭାଲୁଏସନ୍ (IHME) ଦ୍ୱାରା କରାଯାଇଥିବା ଗବେଷଣାରେ ୧୯୯୦ ରୁ ୨୦୨୩ ପର୍ଯ୍ୟନ୍ତ ୨୦୪ଟି ଦେଶର କିଡନୀ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଅଧ୍ୟୟନ କରାଯାଇଥିଲା। ସେଥିରୁ ଜଣାପଡ଼ିଛି ଯେ କ୍ରୋନିକ କିଡନୀ ଡିଜିଜ୍ (CKD) ବର୍ତ୍ତମାନ ଦୁନିଆରେ ମୃତ୍ୟୁର ୯ମ ସବୁଠାରୁ ବଡ଼ କାରଣ ହୋଇପଡ଼ିଛି। ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୧୩.୮କୋଟି ଲୋକ ଏହି ରୋଗରେ ପୀଡ଼ିତ, ଯାହା ଚୀନ୍ ପରେ ଦୁନିଆର ଦ୍ୱିତୀୟ ସର୍ବାଧିକ ସଂଖ୍ୟା।
କିଡନୀ ରୋଗ: ଏକ ‘ସାଇଲେଣ୍ଟ କିଲର’
ଡାକ୍ତରମାନେ କିଡନୀ ସମସ୍ୟାକୁ “ସାଇଲେଣ୍ଟ ଡିଜିଜ୍” ବୋଲି କହନ୍ତି, କାରଣ ଆରମ୍ଭରେ ଏହାର ବିଶେଷ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ଅନେକ ସମୟରେ ଲୋକମାନେ ଯେବେ ଜାଣନ୍ତି ଯେତେବେଳେ କିଡନୀର ଅଧିକାଂଶ କ୍ଷତି ହୋଇଯାଇଥାଏ। ଶରୀର ଫୁଲିଯିବା, ଅଧିକ କ୍ଲାନ୍ତି ଲାଗିବା, ପରିସ୍ରା କମ୍ ହେବା କିମ୍ବା ହାଇ ବ୍ଲଡ୍ ପ୍ରେସର ଭଳି ଲକ୍ଷଣ ଦେଖାଦେବା ସମୟରେ କିଡନୀର କାର୍ଯ୍ୟକ୍ଷମତା ଦୁର୍ବଳ ହୋଇପାରେ। ସେହିପାଇଁ ସମୟ-ସମୟରେ ବ୍ଲଡ୍ କ୍ରିଏଟିନିନ୍ ଓ ୟୁରିନ୍ ଟେଷ୍ଟ ଭଳି ସାଧାରଣ ପରୀକ୍ଷା କରାଇବା ଅତ୍ୟନ୍ତ ଜରୁରୀ।
ଅଧିକ ପେନକିଲର୍ ବ୍ୟବହାର କିଡନୀ ପାଇଁ ହାନିକାରକ
ସାଧାରଣତଃ ମୁଣ୍ଡ ବ୍ୟଥା କିମ୍ବା ଶରୀର କିମ୍ବା ହେଲେ ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ଛଡ଼ା ପେନକିଲର୍ ଔଷଧ ଖାଇଦିଅନ୍ତି। ଏହା କିଡନୀ ପାଇଁ କ୍ଷତିକାରକ ହୋଇପାରେ। ଇବୁପ୍ରୋଫେନ୍ କିମ୍ବା ଡାଇକ୍ଲୋଫେନାକ୍ ପରି NSAIDs ଔଷଧର ଅଧିକ ବ୍ୟବହାର କିଡନୀକୁ ଯାଉଥିବା ରକ୍ତ ପ୍ରବାହକୁ ପ୍ରଭାବିତ କରେ। ଏହା ଧୀରେ ଧୀରେ କିଡନୀକୁ କ୍ଷତିଗ୍ରସ୍ତ କରିପାରେ, ବିଶେଷ କରି ଯେଉଁମାନେ ଡାୟବେଟିଜ୍ କିମ୍ବା ହାଇ ବ୍ଲଡ୍ ପ୍ରେସରରେ ପୀଡ଼ିତ।
ଖରାପ ଖାଦ୍ୟାଭ୍ୟାସ ଓ ଲାଇଫ୍ଷ୍ଟାଇଲ୍
ଆଜିକାଲି କମ୍ ବୟସର ଲୋକମାନଙ୍କ ମଧ୍ୟରେ ମଧ୍ୟ କିଡନୀ ସମସ୍ୟା ବଢ଼ୁଛି। ଏହାର ପଛରେ ଅସ୍ୱସ୍ଥ ଖାଦ୍ୟାଭ୍ୟାସ, ମୋଟାପା, ନିୟନ୍ତ୍ରଣ ନ ଥିବା ଡାୟବେଟିଜ୍ ଓ ଦୀର୍ଘ ସମୟ ବସି କାମ କରିବା ଭଳି ଲାଇଫ୍ଷ୍ଟାଇଲ୍ ଦାୟୀ। ଅଧିକ ଷ୍ଟ୍ରେସ୍ ଓ କମ୍ ପାଣି ପିଇବା ମେଟାବୋଲିଜମ୍କୁ ପ୍ରଭାବିତ କରି କିଡନୀ ଉପରେ ଚାପ ବଢ଼ାଏ।ସମୟ ସମୟରେ ହେଲ୍ଥ ଚେକଅପ୍ କରାଇବା ଦ୍ୱାରା ଏହାକୁ କମେଇପାରିବା।
ପାଣି ପିଇବା ସମ୍ବନ୍ଧୀୟ ଭ୍ରାନ୍ତି
କିଡନୀ ସ୍ୱାସ୍ଥ୍ୟ ପାଇଁ ପାଣି ଦରକାର ହେଲେମଧ୍ୟ ଅତ୍ୟଧିକ ପାଣି ପିଇବା ଶରୀରରେ ଇଲେକ୍ଟ୍ରୋଲାଇଟ୍ ସମତୁଳନକୁ ବିଗାଡ଼ି ଦେଇପାରେ ଏବଂ କିଡନୀ ଉପରେ ଅଧିକ ଚାପ ପକାଇପାରେ। ଅନେକ ଲୋକ ଭାବନ୍ତି ଯେ ଯେତେ ଅଧିକ ପାଣି ପିଇବ ସେତେ କିଡନୀ ସୁସ୍ଥ ରହିବ। କିନ୍ତୁ ସତ୍ୟ ହେଉଛି ସମତୁଳିତ ପରିମାଣରେ ପାଣି ପିଇବା ଅତ୍ୟନ୍ତ ଜରୁରୀ। ପରିସ୍ରାର ହାଲୁକା ହଳଦିଆ ରଙ୍ଗ ସାଧାରଣ ହାଇଡ୍ରେସନ୍ର ଚିହ୍ନ ବୋଲି ଧରାଯାଏ।
ପ୍ରତିବର୍ଷ ୧୨ ମାର୍ଚ୍ଚରେ ବିଶ୍ୱ କିଡନୀ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଡାକ୍ତରମାନେ କହୁଛନ୍ତି ଯେ ଡାଇବେଟିଜ୍ ଓ ହାଇ ବ୍ଲଡ୍ ପ୍ରେସର୍ କିଡନୀକୁ କିପରି ପ୍ରଭାବିତ କରେ ଓ ଏଥିରୁ ବର୍ତ୍ତିବା ପାଇଁ ସଚେତନ ହେବା ଅତ୍ୟାବଶ୍ୟକ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁସାରେ, କ୍ରୋନିକ୍ କିଡନୀ ଡିଜିଜ୍ ସାରା ପୃଥିବୀରେ କୋଟି କୋଟି ଲୋକଙ୍କୁ ପ୍ରଭାବିତ କରୁଛି। ଏହି ରୋଗର ସିଧାସଳଖ ସମ୍ପର୍କ ଡାଇବେଟିଜ୍ ଓ ହାଇପରଟେନସନ୍ ଭଳି ମେଟାବଲିକ୍ ସମସ୍ୟା ସହିତ ରହିଛି। ରୋଗର ଆରମ୍ଭିକ ଅବସ୍ଥାରେ ସାଧାରଣତଃ କୌଣସି ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। ଏହି କାରଣରୁ ଅନେକ ସମୟରେ କିଡନୀ ଡାମେଜ୍ ବିଷୟରେ ଲୋକମାନେ ବହୁତ ବିଳମ୍ବରେ ଜାଣିପାରନ୍ତି। ଡାକ୍ତରମାନଙ୍କ ଅନୁସାରେ, ଡାଇବେଟିଜ୍ ଓ ହାଇ ବ୍ଲଡ୍ ପ୍ରେସର୍ କିଡନୀକୁ ରକ୍ତ ପହଞ୍ଚାଉଥିବା ଧମନୀଗୁଡ଼ିକୁ କ୍ଷତିଗ୍ରସ୍ତ କରିପାରେ। ଏହାର ଫଳରେ ରକ୍ତ ପ୍ରବାହ କମିଯାଏ ଓ କିଡନୀର କାର୍ଯ୍ୟକ୍ଷମତା ପ୍ରଭାବିତ ହୁଏ।
ଡାକ୍ତରଙ୍କ କହିବା ଅନୁସାରେ, “ହାଇପରଟେନସନ୍ ଓ ବଢ଼ିଥିବା ବ୍ଲଡ୍ ସୁଗର୍ କାରଣରୁ ଧମନୀରେ ସୁଜନ୍ (ଆର୍ଟେରାଇଟିସ୍) ହୋଇପାରେ, ଯାହା କ୍ରୋନିକ୍ କିଡନୀ ଡିଜିଜ୍ କୁ ବଢ଼ାଇଦିଏ।” ସେହିପାଇଁ ଏହି ଦୁଇଟି ସମସ୍ୟାକୁ ବୁଝିବା ଓ ସମୟରେ ପରୀକ୍ଷା କରାଇବା ଅତ୍ୟନ୍ତ ଆବଶ୍ୟକ।
କାହିଁକି ବଢ଼େ କିଡନୀ ରୋଗ
କିଡନୀରେ ଲକ୍ଷାଧିକ ଛୋଟ ଫିଲ୍ଟରିଂ ଇଉନିଟ୍ ରହିଛି, ଯାହାକୁ ନେଫ୍ରନ୍ କୁହାଯାଏ। ଏହି ନେଫ୍ରନ୍ ଗୁଡ଼ିକ ଛୋଟ ରକ୍ତନଳୀର ଜାଲି ମାଧ୍ୟମରେ ରକ୍ତରୁ ଅପଦ୍ରବ୍ୟଗୁଡ଼ିକୁ ଫିଲ୍ଟର୍ କରେ। ଦୀର୍ଘ ସମୟ ଧରି ବ୍ଲଡ୍ ପ୍ରେସର୍ ବଢ଼ି ରହିଲେ ଏହି ରକ୍ତନଳୀମାନଙ୍କ ଉପରେ ଅଧିକ ଚାପ ପଡ଼େ। ସେହିପରି ଡାଇବେଟିଜ୍ରେ ବଢ଼ିଥିବା ବ୍ଲଡ୍ ସୁଗର୍ ଏହି ରକ୍ତନଳୀର ଦେୱାଳକୁ କ୍ଷତିଗ୍ରସ୍ତ କରିଥାଏ, ଯାହା ଫଳରେ ସେଗୁଡ଼ିକ ମୋଟା ହୋଇଯାଏ ଓ ତାହାର କାର୍ଯ୍ୟକ୍ଷମତା କମିଯାଏ।
ଅଧିକ ପଢନ୍ତୁ: ୪୦ ବର୍ଷରୁ କମ୍ ବୟସର ମହିଳାମାନେ ହୃଦଘାତର ଶିକାର ହେବାର ସମ୍ଭାବନା କାହିଁକି ଅଧିକ ଥାଏ?