ଆଜିର ସମୟରେ ଅନେକ ଲୋକଙ୍କର ଅଧିକ ଚିନ୍ତା କରିବା ବା 'ଓଭରଥିଙ୍କିଙ୍ଗ୍' ଅଭ୍ୟାସ ରହିଛି। ଏହାକୁ ସାଧାରଣ ମନେକରି ଅଣଦେଖା କରିବା ଅନୁଚିତ, କାରଣ ଏହି ଅଭ୍ୟାସ ଧୀରେ ଧୀରେ ଅନେକ ରୋଗର କାରଣ ସାଜିପାରେ।
ଛୋଟ ଛୋଟ କଥାକୁ ନେଇ ବାରମ୍ବାର ଚିନ୍ତା କରିବା ଦ୍ୱାରା ଉଭୟ ମାନସିକ ଏବଂ ଶାରୀରିକ ସମସ୍ୟା ଦେଖାଦିଏ। ଏହି ଅଭ୍ୟାସ ମାନସିକ ଚାପ ବଢ଼ାଇବା ସହ ମସ୍ତିଷ୍କକୁ ସବୁବେଳେ ସକ୍ରିୟ ରଖିଥାଏ, ଯାହାଫଳରେ ନିଦ୍ରା ପ୍ରଭାବିତ ହୁଏ ଏବଂ ଶରୀରକୁ ପର୍ଯ୍ୟାପ୍ତ ବିଶ୍ରାମ ମିଳିନଥାଏ। ଏହା ବ୍ୟକ୍ତିର ଆତ୍ମବିଶ୍ୱାସ କମାଇଦିଏ ଏବଂ ସବୁବେଳେ ଚିନ୍ତିତ ରଖେ। ଏହି କାରଣରୁ ଏକାଗ୍ରତା ଏବଂ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ଦୁର୍ବଳ ହୋଇଯାଏ, ଯାହାର ପ୍ରଭାବ କାର୍ଯ୍ୟଦକ୍ଷତା ଓ ସମ୍ପର୍କ ଉପରେ ପଡ଼ିଥାଏ।
ଅଧିକ ଚିନ୍ତା କରିବା ଦ୍ୱାରା କେଉଁ ସବୁ ରୋଗ ହୋଇପାରେ?
ଅଧିକ ଚିନ୍ତା କରିବା ଦ୍ୱାରା ନିମ୍ନଲିଖିତ ରୋଗ ହେବାର ଆଶଙ୍କା ରହିଥାଏ:
• ମାନସିକ ଚାପ ଓ ଆଙ୍ଗଜାଇଟି (Anxiety): ବ୍ୟକ୍ତି ସବୁବେଳେ ଅସ୍ଥିର ଅନୁଭବ କରେ।
• ଅବସାଦ (Depression): କ୍ରମାଗତ ଓଭରଥିଙ୍କିଙ୍ଗ୍ ଯୋଗୁଁ ଡିପ୍ରେସନର ବିପଦ ବଢ଼ିଥାଏ।
• ଅନିଦ୍ରା (Insomnia): ନିଦ ନ ହେବା କାରଣରୁ ଶରୀର ସବୁବେଳେ କ୍ଳାନ୍ତ ରହେ।
• ମୁଣ୍ଡବିନ୍ଧା ଓ ମାଇଗ୍ରେନ୍: ମାନସିକ ଚାପ ଯୋଗୁଁ ମୁଣ୍ଡବିନ୍ଧା ଭଳି ସମସ୍ୟା ବଢ଼ିଥାଏ।
• ହଜମ ସମସ୍ୟା: ଏହା ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଏ, ଯାହାଦ୍ୱାରା ଗ୍ୟାସ୍, ଏସିଡିଟି ଏବଂ ପେଟ ଯନ୍ତ୍ରଣା ହୋଇଥାଏ।
• ଉଚ୍ଚ ରକ୍ତଚାପ (Blood Pressure): ଦୀର୍ଘ ସମୟ ଧରି ଚିନ୍ତା କଲେ ରକ୍ତଚାପ ବଢ଼ିବାର ଭୟ ଥାଏ।
କିପରି କରିବେ ପ୍ରତିକାର?
ଏହି ଅଭ୍ୟାସରୁ ରକ୍ଷା ପାଇବା ପାଇଁ ନିଜ ମସ୍ତିଷ୍କକୁ ବ୍ୟସ୍ତ ରଖିବା ଜରୁରୀ।
୧. ନିୟମିତ ବ୍ୟାୟାମ, ଯୋଗ ଏବଂ ଧ୍ୟାନ (Meditation) କଲେ ମନ ଶାନ୍ତ ରହେ।
୨. ନିଜ ଦୈନନ୍ଦିନ କାର୍ଯ୍ୟସୂଚୀକୁ ବ୍ୟସ୍ତ ରଖନ୍ତୁ ଏବଂ ଠିକ୍ ସମୟରେ ଶୋଇବା ଅଭ୍ୟାସ କରନ୍ତୁ।
୩. ସବୁବେଳେ ସକାରାତ୍ମକ ଚିନ୍ତାଧାରା ଆପଣାନ୍ତୁ ଏବଂ ଅଯଥା ଚିନ୍ତାଠାରୁ ଦୂରେଇ ରୁହନ୍ତୁ।
୪. କୌଣସି ସମସ୍ୟା ବିଷୟରେ ଅଧିକ ନ ଭାବି ଏହାର ସମାଧାନ ଖୋଜିବା ଉପରେ ଧ୍ୟାନ ଦିଅନ୍ତୁ।
୫. ସାଙ୍ଗସାଥୀ ଏବଂ ପରିବାର ଲୋକଙ୍କ ସହ କଥା ହେବା ଦ୍ୱାରା ମନ ହାଲୁକା ହୋଇଥାଏ।
ଡାକ୍ତରଙ୍କ ପରାମର୍ଶ କେବେ ନେବେ?
ଯଦି ଅଧିକ ଚିନ୍ତା କରିବା ଅଭ୍ୟାସ ଆପଣଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଯଦି କ୍ରମାଗତ ଭାବେ ଚିନ୍ତା, ଛଟପଟ ହେବା, ନିଦ୍ରାହୀନତା କିମ୍ବା ମନ ଦୁଃଖ ରହୁଥାଏ ଏବଂ ଏହା ନିଜ ନିୟନ୍ତ୍ରଣ ବାହାରକୁ ଚାଲିଯାଏ, ତେବେ ବିଶେଷଜ୍ଞଙ୍କ ସାହାଯ୍ୟ ନେବା ଶ୍ରେୟସ୍କର। ସଠିକ୍ ସମୟରେ ଚିକିତ୍ସା ଏବଂ କାଉନସେଲିଂ ଦ୍ୱାରା ଏହି ସମସ୍ୟାକୁ ଦୂର କରାଯାଇପାରିବ।