ଉଦୟପୁରର ମୋହନଲାଲ ସୁଖାଡ଼ିଆ ଆର୍ଟସ କଲେଜକୁ ଏବେ ଏକ ଗୁଣ୍ଡୁଚି ମୂଷାର ଭୟ ଘାରିଛି। ସାଧାରଣତଃ ଶାନ୍ତ ଏବଂ ନିରୀହ ମନାଯାଉଥିବା ଏହି ଗୁଣ୍ଡୁଚି ମୂଷା ବିଗତ ଏକ ମାସରେ ୧୮ ରୁ ଅଧିକ ଲୋକଙ୍କ ଉପରେ ଆକ୍ରମଣ କରିସାରିଛି, ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ସହିତ କଲେଜ କର୍ମଚାରୀ ମଧ୍ୟ ଆତଙ୍କିତ ଅଛନ୍ତି। ସ୍ଥିତି ଏତେ ଗମ୍ଭୀର ହୋଇଯାଇଛି ଯେ ଛାତ୍ରମାନେ ଏବେ କଲେଜ ପରିସର ବାହାରେ ଖୋଲା ପଡ଼ିଆରେ ବସିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି।
କଲେଜ କର୍ମଚାରୀଙ୍କ ଅନୁସାରେ, ଏହି ଗୁଣ୍ଡୁଚି ମୂଷା ହଠାତ୍ ଲୋକଙ୍କ ଉପରକୁ ଝାମ୍ପି ପଡ଼େ ଏବଂ ଅନେକ ଲୋକଙ୍କୁ କାମୁଡ଼ି ସାରିଛି। ଏହା ଯୋଗୁଁ ସମ୍ପୂର୍ଣ୍ଣ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅବସ୍ଥା ଏପରି ଯେ ଏବେ ଲୋକେ ସାଧାରଣ ଗୁଣ୍ଡୁଚି ମୂଷାଙ୍କୁ ଦେଖିଲେ ମଧ୍ୟ ଡରୁଛନ୍ତି। ଯେଉଁ ଲୋକଙ୍କୁ ଏହି ଗୁଣ୍ଡୁଚି ମୂଷା କାମୁଡ଼ିଛି, ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ରେବିଜ୍ ଇଞ୍ଜେକ୍ସନ ଦିଆଯାଉଛି।
କ’ଣ କହିଲେ ଆର୍ଟସ କଲେଜର ଡିନ୍?
ଆର୍ଟସ କଲେଜର ଡିନ୍ ପ୍ରଫେସର ମଦନ ସିଂହ ରାଠୋର ଜଣାଇଲେ ଯେ କିଛି ଦିନ ତଳେ ଏହି ମାମଲା ତାଙ୍କ ନଜରକୁ ଆସିଥିଲା, ଯାହା ପରେ ଉଦ୍ଧାର ପାଇଁ ରେସ୍କୟୁ ଟିମକୁ ଡକାଯାଇଥିଲା। ତେବେ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ଗୁଣ୍ଡୁଚି ମୂଷାକୁ ଧରିବାରେ ସଫଳତା ମିଳିଲା ନାହିଁ। ଛାତ୍ରଙ୍କ ଅନୁସାରେ, ଏହି ଗୁଣ୍ଡୁଚି ମୂଷା ଅତ୍ୟଧିକ ଆକ୍ରମଣାତ୍ମକ ଏବଂ ଦେଖିବା ମାତ୍ରେ ଆକ୍ରମଣ କରିଥାଏ। ଏବେ ପ୍ରଶାସନ ପୁଣିଥରେ ଉଦ୍ଧାରକାରୀ ଦଳ ଡକାଇବାକୁ ପ୍ରସ୍ତୁତି କରୁଛି।
ପିପୁଲ୍ସ ଫର ଆନିମଲ୍ସ ଉଦୟପୁରର ଅଧ୍ୟକ୍ଷ ସତ୍ୟଜିତ ରୟଙ୍କ କହିବା କଥା ଯେ ଏହା ଏକ ବନ୍ୟଜନ୍ତୁ ଏବଂ ଅତ୍ୟଧିକ ଗରମ ଯୋଗୁଁ ଏହାର ବ୍ୟବହାରରେ ପରିବର୍ତ୍ତନ ଆସିପାରେ। ଗରମ ଯୋଗୁଁ ମସ୍ତିଷ୍କ ବିକୃତି (ବ୍ରେନ୍ ଡିସଅର୍ଡର) କିମ୍ବା ଭୋକ ଭଳି ସ୍ଥିତି ଗୁଣ୍ଡୁଚି ମୂଷାକୁ ଆକ୍ରମଣାତ୍ମକ ବନାଇପାରେ। ସାଧାରଣତଃ ଗୁଣ୍ଡୁଚି ମୂଷାମାନେ ମଣିଷଙ୍କୁ କାମୁଡ଼ନ୍ତି ନାହିଁ, କିନ୍ତୁ ମାନସିକ ଅସନ୍ତୁଳନ ଯୋଗୁଁ ଏପରି ବ୍ୟବହାର ସମ୍ଭବ। ଗୁଣ୍ଡୁଚି ମୂଷାର ଉଦ୍ଧାର କରିବା ସହଜ ହୋଇ ନ ଥାଏ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅଧ୍ୟୟନ କରିବା ପରେ ହିଁ ଉଚିତ୍ ପଦକ୍ଷେପ ନିଆଯିବ।
ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ମତାମତ ଜାଣନ୍ତୁ
ବନ୍ୟଜନ୍ତୁ ବିଶେଷଜ୍ଞ ଡକ୍ଟର ହିମାଂଶୁ ବ୍ୟାସ ମଧ୍ୟ ଏହି ଘଟଣାକୁ ଅସାଧାରଣ ବୋଲି କହିଛନ୍ତି। ତାଙ୍କର କହିବା କଥା ଯେ ଗୁଣ୍ଡୁଚି ମୂଷା ନିଜ ଛୁଆଙ୍କ ସୁରକ୍ଷା ପାଇଁ ମଧ୍ୟ ଆକ୍ରମଣାତ୍ମକ ହୋଇପାରେ, କିନ୍ତୁ ଏତେ କମ୍ ସମୟ ମଧ୍ୟରେ ଏତେ ଲୋକଙ୍କୁ କାମୁଡ଼ିବା ଆଶ୍ଚର୍ଯ୍ୟଜନକ। ସେ ଆଶଙ୍କା ପ୍ରକାଶ କଲେ ଯେ ଏହି ମାମଲା କୌଣସି ମନୋବୈଜ୍ଞାନିକ ସମସ୍ୟା କିମ୍ବା ଅସାଧାରଣ ବ୍ୟବହାର ସହିତ ଜଡ଼ିତ ହୋଇପାରେ। ସାଙ୍ଗରେ ଏହା ମଧ୍ୟ ସମ୍ଭାବନା ଯେ ,ଏହା ପୋଷା ଗୁଣ୍ଡୁଚି ମୂଷା ହୋଇ ଥାଇପାରେ। ଯାହାକୁ ତାର ପୁରୁଣା ମାଲିକ ଛାଡ଼ି ଦେଇ ପାରିଥାନ୍ତି। ଫଳରେ ତା’ର ମଣିଷଙ୍କ ପ୍ରତି ଥିବା ଭୟ ଶେଷ ହୋଇଯାଇଥିବା |
ଆରଏନଟି ମେଡିକାଲ କଲେଜର ମେଡିସିନ ବିଭାଗ ମୁଖ୍ୟ ଡକ୍ଟର ଓ. ପି. ମୀଣା ଚେତାବନୀ ଦେଇଛନ୍ତି ଯେ ଗୁଣ୍ଡୁଚି ମୂଷାର କାମୁଡ଼ିବା ବିପଜ୍ଜନକ ହୋଇପାରେ। ଏହାଦ୍ୱାରା ଗମ୍ଭୀର ସଂକ୍ରମଣ ଏବଂ ରେବିଜ୍ର ବିପଦ ରହେ। ଯଦି ସମୟ ଅନୁସାରେ ଚିକିତ୍ସା ନ ମିଳେ ତେବେ ରୋଗୀଠାରେ ହାଇଡ୍ରୋଫୋବିଆ ଭଳି ଗମ୍ଭୀର ସ୍ଥିତି ବିକଶିତ ହୋଇପାରେ, ଯେଉଁଥିରେ ବ୍ୟକ୍ତିକୁ ପାଣିକୁ ଡର ଲାଗିବାକୁ ଲାଗେ। ଏପରି ସ୍ଥିତିରେ ସତର୍କତା ଏବଂ ସମୟ ଅନୁସାରେ ଚିକିତ୍ସା ବେଶ୍ ଜରୁରୀ।