ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ହେଟ୍ ସ୍ପିଚ୍ ସଂପର୍କିତ ଯାଚିକା ଉପରେ ଶୁଣାଣି କରି ବହୁତ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, କୋର୍ଟ ସରକାରଙ୍କୁ ଏହି ମାମଲାରେ ଆଇନ ତିଆରି ପାଇଁ ବାଧ୍ୟ କରି ପାରିବେ ନାହିଁ । ଶୁଣାଣି ସମୟରେ ସୁପ୍ରିମକୋର୍ଟ ସମଗ୍ର ଦେଶରେ ଦିଆଯାଉଥିବା ଘୃଣିତ ଭାଷଣ ଉପରେ ରୋକ୍ ଲଗାଇବା ପାଇଁ କୌଣସି ପ୍ରକାରର ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି ।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଅଦାଲତ ସଂସଦ କିମ୍ବା ରାଜ୍ୟ ବିଧାନସଭାକୁ ନୂଆ ଆଇନ ତିଆରି କରିବାକୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ । ଏଥିରେ ଅଧିକରୁ ଅଧିକ ସୁଧାରର ଆବଶ୍ୟକତା ରହିଛି । କୋର୍ଟ କିଛି ପରାମର୍ଶ ଦେଇ ପାରିବେ । ମାତ୍ର ଆଇନ ତିଆରି କରିବା ସରକାରଙ୍କ କାମ ।
ଯାଚିକା ଖାରଜ କରି ଜଷ୍ଟିସ ବିକ୍ରମ ନାଥ ଓ ସନ୍ଦୀପ ମେହଟ୍ଟାଙ୍କ ପୀଠ କହିଛନ୍ତି, ଅଦାଲତ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ପରାମର୍ଶ ଦେଇ ପାରିବେ । ସରକାରଙ୍କ ଧ୍ୟାନ ଆକର୍ଷଣ କରି ପାରିବେ । ମାତ୍ର ସେ ବିଧାୟିକାକୁ ଆଇନ ତିଆରି କରିବାକୁ ବାଧ୍ୟ କରି ପାରିବେ ନାହିଁ ।
ଖଣ୍ଡପୀଠ କହିଛନ୍ତି ଯେ, ଅଧିକରୁ ଅଧିକ କୋର୍ଟ ସରକାରଙ୍କୁ କିଛି ସୁପାରିସ କରି ପାରିବେ । ଉଚିତ୍ ଉପାୟ ଉପରେ ବିଚାର କରିବାକୁ କହି ପାରିବେ । ସରକାର କୋର୍ଟଙ୍କ ପରାମର୍ଶ ଓ ସୁପାରିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ନାହିଁ ତାହା ସେମାନଙ୍କ ବିବେକ ଉପରେ ନିର୍ଭର କରେ ।
ପୀଠ କହିଛନ୍ତି, ହେଟ୍ ସ୍ପିଚକୁ ନେଇ ଅନେକ ସ୍ତରରେ କାମ କରାଯାଇଛି । ଯଦି ପୋଲିସ ଏଫଆଇଆର ରୁଜୁ ନ କରେ ତେବେ ପୀଡିତ ବ୍ୟକ୍ତି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଯୋଗାଯୋଗ କରି ପାରିବେ । ଏହା ପରେ ମାଜିଷ୍ଟ୍ରେଟଙ୍କ ପାଖରେ ଗୁହାରି ଲଗାଇ ପାରିବେ । ସମସ୍ୟା ଆଇନର ଅଭାବ ନୁହେଁ ବରଂ ଏହାକୁ ଲାଗୁ ନ କଲେ ବିକଳ ସ୍ଥିତି ଉତ୍ପନ ହୁଏ ।
Also Read: 'ଧର୍ମକୁ ସଂସ୍କାର ନାମରେ ଶେଷ କରାଯାଇପାରିବ ନାହିଁ', ଶବରୀମାଳା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ