ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମିବାର ନାଁ ନେଉନି । ଏହା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହି କ୍ରମରେ ବୁଧବାର ଦୁବାଇର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଡ୍ରୋନ ଆକ୍ରମଣ କରିଛି ଇରାନ । ଏଥିରେ ଜଣେ ଭାରତୀୟ ସମେତ ଚାରି ଜଣ ଆହତ ହୋଇଛନ୍ତି । ଦୁବାଇ ଅଧିକାରୀ ଏହାର ସୂଚନା ଦେଇଛନ୍ତି ।
ଅଧିକାରୀ କହିଛନ୍ତି ଯେ, ବିମାନ ବନ୍ଦର ନିକଟରେ ଦୁଇଟି ଡ୍ରୋନ ଖସିଛି । ଏଥିରେ ଦୁଇ ଜଣ ଘାନାର ନାଗରିକ, ଜଣେ ବାଂଲାଦେଶୀ ଏବଂ ଜଣେ ଭାରତୀୟ ନାଗରିକ ଆହତ ହୋଇଛନ୍ତି । ଘଟଣା ପରେ ପରେ ଏଜେନ୍ସି ତୁରନ୍ତ ଯାଞ୍ଚରେ ଜୁଟି ଯାଇଛନ୍ତି । ଡ୍ରୋନ ହମଲା ପରେ ବି ବିମାନ ବନ୍ଦରରେ ବିମାନ ଯାତାୟତ ସ୍ୱାଭାବିକ ରହିଛି ।
ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ଅଲ ମକତୁନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ସଞ୍ଚାଳନ କରୁଥିବା ଦୁବାଇ ଏୟାରପୋର୍ଟ୍ସ କହିଛି ଯେ, ମାର୍ଚ୍ଚ ୭ରେ ଦୁଇ ଏୟାରପୋର୍ଟରେ ଉଡାଣ ଆଂଶିକ ଭାବେ ଆରମ୍ଭ ହୋଇଛି । ଏହା ପୂର୍ବରୁ କିଛି ସମୟ ପାଇଁ ଉଡାଣ ରୋକା ଯାଇଥିଲା । ଯାତ୍ରୀଙ୍କୁ କୁହାଯାଇଥିଲା ଯେ, ସେ ପର୍ଯ୍ୟନ୍ତ ବିମାନ ବନ୍ଦର ଯାଆନ୍ତୁ ନାହିଁ ଯେ ପର୍ଯ୍ୟନ୍ତ ଏୟାରଲାଇନ ବିମାନ ଉଡାଣ ସ୍ପଷ୍ଟ ନ କରିଛି । କାରଣ ସମସ୍ତ ଉଡାଣର ସିଡ୍ୟୁଲ ଲଗାତାର ବଦଳି ଚାଲିଛି । ଉଡାଣରେ ହାରାହାରି ୬୦ରୁ ୯୦ ମିନିଟ୍ ବିଳମ୍ବ ଘଟୁଛି ।
ପୂର୍ବରୁ, ମାର୍ଚ୍ଚ ୧ ତାରିଖରେ ଏକ ଡ୍ରୋନ୍ ଆକ୍ରମଣରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଏକ ଅଂଶରେ ସାମାନ୍ୟ କ୍ଷତି ହୋଇଥିଲା। ତଥାପି, ପରିସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣ କରାଯାଇଥିଲା। ଏହି ଘଟଣାରେ ଚାରି ଜଣ କର୍ମଚାରୀ ଆହତ ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ବିମାନବନ୍ଦର ପ୍ରଶାସନ କହିଛି ଯେ ପୂର୍ବ ଯୋଜନାବଦ୍ଧ ଜରୁରୀକାଳୀନ ପଦକ୍ଷେପ ଯୋଗୁଁ, ଅଧିକାଂଶ ଟର୍ମିନାଲରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ଏହା ଅନ୍ତର୍ଜାତୀୟ ଯାତ୍ରା ପାଇଁ ବିଶ୍ୱର ସବୁଠାରୁ ବ୍ୟସ୍ତ ବିମାନବନ୍ଦର।