ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ଦଳ ପାକିସ୍ତାନର ଗୁଇନ୍ଦା ସଂସ୍ଥା, ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଭାରତୀୟ ନୌସେନାର କାର୍ଯ୍ୟରତ ଜଣେ ଲାନସ୍ ନାଏକ ଆଦର୍ଶ କୁମାର ଓରଫ ଲକିଙ୍କୁ ଗିରଫ କରିଛି । ଆଇଏସଆଇକୁ ଭାରତ ବିରୋଧୀ ସୂଚନା ଦେବା ଏବଂ ନୌସେନା ସମ୍ପତ୍ତି ସହ ଜଡିତ ସମ୍ବେଦନଶୀଳ ସୂଚନା ବାଣ୍ଟିବା ଅଭିଯୋଗରେ ଲାନ୍ସ ନାୟକଙ୍କୁ ଗିରଫ କରାଯାଇଛି । ସେ ଆଗ୍ରା ଜିଲ୍ଲାର କାଗାରୋଲ୍ ଥାନା ଅନ୍ତର୍ଗତ ଚିତାପୁର ଗ୍ରାମର ମୂଳ ବାସିନ୍ଦା ବଲବୀର ସିଂହଙ୍କ ପୁଅ।
ଏଟିଏସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜଣେ ବ୍ୟକ୍ତି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ହ୍ୟାଣ୍ଡଲରଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିବା ଏବଂ ଭାରତକୁ ଟାର୍ଗେଟ କରି ଗୁପ୍ତଚର କାର୍ଯ୍ୟକଳାପରେ ଜଡିତ ଥିବା ଗୁଇନ୍ଦା ସୂଚନା ମିଳିଥିଲା । ୟୁପି ଏଟିଏସ୍ ସୂଚନା ପାଇଥିଲା ଯେ ସନ୍ଦିଗ୍ଧ ବ୍ୟକ୍ତି ଆଇଏସଆଇ ସହିତ ଯୋଗାଯୋଗ କରୁଥିଲେ ଏବଂ ସମ୍ବେଦନଶୀଳ ସୂଚନା ପ୍ରଦାନ କରୁଥିଲେ । ସୂଚନାକୁ ଆଧାର କରି ଏଟିଏସ ଏକ ବିସ୍ତୃତ ତଦନ୍ତ ଆରମ୍ଭ କରିଥିଲା ଏବଂ ସନ୍ଦିଗ୍ଧ ଉପରେ କଡ଼ା ନଜର ରଖାଯାଇଥିଲା ।
ତଦନ୍ତ ସମୟରେ, ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିଚୟ ଆଦର୍ଶ କୁମାର ନାମ ବୋଲି ଜଣାପଡ଼ିଥିଲା । ସେ ନୌସେନାରେ ଲାନ୍ସ ନାୟକ ଭାବରେ କାର୍ଯ୍ୟ କରୁଥିଲେ ଏବଂ କୋଚିର ଦକ୍ଷିଣ ନୌସେନା କମାଣ୍ଡରେ ନିଯୁକ୍ତ ଥିଲେ ।