ପୁରୀ: ପୁରୀ ମହାନଗର ନିଗମ ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ଗୋଟିଏ ମହାନଗର ନିଗମ ଏବଂ ୫ଟି ପୌରପାଳିକା ଗଠନ ନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି ହୋଇଛି । ପୁରୀ ମହାନଗର ନିଗମ ସହିତ ବୌଦ୍ଧଗଡ଼, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର ଓ ଆସିକା ପୌରପାଳିକା ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତ ମତାମତକୁ ବିଚାର କରାଯିବା ପରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗତବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ସହର ମହାନଗର ହେବ ବୋଲି ଘୋଷଣା କରିଥିଲେ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ପରେ ଓଡ଼ିଶାର ଷଷ୍ଠ ମହାନଗର ନିଗମ ହୋଇଛି ପୁରୀ । ନୂତନ ମହାନଗର ନିଗମରେ ପୁରୀ ସହର ସମେତ ପୁରୀ ସଦର ଓ ବ୍ରହ୍ମଗିରି ବ୍ଲକର ପ୍ରାୟ ୭ ରୁ ୮ଟି ଗ୍ରାମ ପଞ୍ଚାୟତ ଏବଂ ୩୪ଟି ଗାଁକୁ ସାମିଲ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ପୁରୀରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ପାଠାଗାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ୧,୦୦୦ କୋଟିର ବ୍ୟୟବରାଦ କରିଥିଲେ ।