ଭୁବନେଶ୍ୱର: ଓଡ଼ିଶାରେ ରେଳ ସଂଯୋଗୀକରଣ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିଛି । ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ଵ ଦେଇ କେନ୍ଦ୍ର ସରକାର ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି । ଏହା ସହିତ ଦୁଇଟି ସ୍ଵତନ୍ତ୍ର ରେଳ ସେବାକୁ ନିୟମିତ ରେଳ ସେବାରେ ପରିଣତ କରିବା ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଓଡିଶାର ଜନସାଧାରଣଙ୍କ ପାଇଁ ଅଧିକ ରେଳ ସେବା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ। ରେଳ ମନ୍ତ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏକ ନୂତନ ଅମୃତ ଭାରତ ଟ୍ରେନ୍ ଆସାମର କାମାକ୍ଷା ଏବଂ ତେଲେଙ୍ଗାନାର ଚାରଲାପାଲି (ସିକନ୍ଦରାବାଦ) ମଧ୍ୟରେ ଚାଲିବ। ଏହା ଓଡିଶାର ବାଲେଶ୍ଵର, ଭଦ୍ରକ, ଯାଜପୁର କେଉଁଝର ରୋଡ୍, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବାଲୁଗାଁ ଏବଂ ବ୍ରହ୍ମପୁର ଦେଇ ଯିବ।
ଭୁବନେଶ୍ୱର - ଧାନବାଦ୍ ସ୍ପେଶାଲ୍ ଟ୍ରେନ୍ (୧୮୪୦୩/୧୮୪୦୪) ଧାନବାଦ୍ ପହଞ୍ଚିବା ପୂର୍ବରୁ କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୋଳ, ରେଢାଖୋଲ, ସମ୍ବଲପୁର ସହର, ଝାରସୁଗୁଡା ଏବଂ ରାଉରକେଲା ଷ୍ଟେସନ ଦେଇ ଯିବ। ଏହିଟ୍ରେନକୁ ଏବେ ନିୟମିତ (Regularisation) କରାଯାଇଛି।
ସେହିପରି ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ (୦୮୪୩୯/୦୮୪୪୦ ) ପାଟନା ପହଞ୍ଚିବା ପୂର୍ବରୁ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ ଏବଂ ବାଲେଶ୍ବର ଷ୍ଟେସନ୍ ଦେଇ ଯିବ । ଏହାକୁ ମଧ୍ୟ ନିୟମିତ କରାଯାଇଛି ।
ରାଜ୍ୟରେ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ଏହି ଟ୍ରେନ ସେବା ଅନୁମୋଦନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବରୁ କୋଏମ୍ବାଟୁର-ଧାନବାଦ ଅମୃତ ଭାରତ ଟ୍ରେନ୍ ଓଡ଼ିଶା ଦେଇ ଚାଲିବ ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଥିଲେ । ଏହି ଟ୍ରେନ୍ ରାୟଗଡ଼ା, ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗିର, ବରଗଡ଼ ରୋଡ଼୍, ସମ୍ବଲପୁର, ଝାରସୁଗୁଡା, ଏବଂ ରାଉରକେଲା ଷ୍ଟେସନ ଦେଇ ଅମୃତ ଭାରତ ଟ୍ରେନ୍ ଚଳାଚଳ କରିବ ।