ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଥିବା ପାଣିପାଗ ପ୍ରଣାଳୀ ଅଧିକ ଶକ୍ତିଶାଳୀ ହୋଇଛି । ଆଜି ସନ୍ଧ୍ୟାରେ ଏହା ଏକ ଗଭୀର ଅବପାତ (Deep Depression) ରୂପ ନେଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସତର୍କତା ପରେ ରାଜ୍ୟର ବିଶେଷକରି ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପାଗରେ ବଡ଼ଧରଣର ପରିବର୍ତ୍ତନ ଆସିବାର ସମ୍ଭାବନା ଦେଖାଦେଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଗଭୀର ଅବପାତଟି କ୍ରମାଗତ ଭାବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରୁଛି । ଏହାର ଗତିପଥକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ ବେଳେ ବୋଲି ପୂର୍ବାନୁମାନ କରାଯାଇଛି ।
ପ୍ରଣାଳୀଟି ଅଧିକ ଘନୀଭୂତ ହୋଇଥିବାରୁ ଓଡ଼ିଶାରେ ବର୍ଷା ପରିମାଣ ଏବଂ ପବନର ବେଗ ବୃଦ୍ଧି ପାଇପାରେ । ସ୍ଥାନୀୟ ଅଞ୍ଚଳରେ ପାଗ କ୍ଷଣିକ ମଧ୍ୟରେ ବିଗିଡ଼ିବାର ଆଶଙ୍କା ରହିଥିବାରୁ ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଏହି ଗଭୀର ଅବପାତର ସାମ୍ପ୍ରତିକ ଗତିବିଧି ଏବଂ ଏହାର ପ୍ରଭାବ କେଉଁ କେଉଁ ଜିଲ୍ଲା ଉପରେ ସର୍ବାଧିକ ରହିବ, ସେନେଇ ପାଣିପାଗ ବିଜ୍ଞାନୀମାନେ ତୀକ୍ଷ୍ଣ ନଜର ରଖିଛନ୍ତି । ପରବର୍ତ୍ତୀ ସମୟରେ ପାଣିପାଗ ବିଭାଗ ପକ୍ଷରୁ ଆସିବାକୁଥିବା ଲେଟେଷ୍ଟ୍ ଅପଡେଟ୍ ଓ ୱାର୍ନିଂକୁ ଅପେକ୍ଷା କରାଯାଇଛି ।