କେନ୍ଦୁଝର: କର୍ତ୍ତବ୍ୟରେ ଅବହେଳା ପାଇଁ ୩ ବନ କର୍ମଚାରୀ ସସପେଣ୍ଡ ହୋଇଛନ୍ତି। କେନ୍ଦୁଝର ବନବିଭାଗ ମୁଖ୍ୟାଳୟରେ ଅନୁପସ୍ଥିତି ଓ ଅଗ୍ନି ପରିଚାଳନାରେ ଅବହେଳା ଯୋଗୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେନ୍ଦୁଝର ଫରେଷ୍ଟର ପ୍ରମୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି। ଏହାସହ ଘଟଗାଁ ଫରେଷ୍ଟର ବିଶ୍ୱରଞ୍ଜନ ମିଶ୍ର ଓ ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତି ନିଲମ୍ବିତ ହୋଇଛନ୍ତି। ଜଙ୍ଗଲ ଅଗ୍ନି ପରିଚାଳନା ଏବଂ ଫସଲ କ୍ଷତି ଆକଳନ ସହିତ ଜଡିତ କର୍ତ୍ତବ୍ୟରେ ଅବହେଳା ଏବଂ ପ୍ରଶାସନିକ ତ୍ରୁଟି ପାଇଁ ସେମାନଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଫରେଷ୍ଟର ପ୍ରମୋଦ ବେହେରାଙ୍କୁ ଜଙ୍ଗଲ ଅଗ୍ନି ପରିଚାଳନାରେ ପ୍ରଶାସନିକ ଅବହେଳା ଏବଂ ଶିଥିଳତା ପାଇଁ ନିଲମ୍ବନ କରାଯାଇଛି। ସେହିପରି ଘଟଗାଁର ଫରେଷ୍ଟର ବିଶ୍ୱରଞ୍ଜନ ମିଶ୍ରଙ୍କୁ ଅନଧିକୃତ ଅନୁପସ୍ଥିତି ଏବଂ ପାଟ୍ରୋଲିଂ ଏବଂ ଅଗ୍ନି ନିୟନ୍ତ୍ରଣରେ ବିଳମ୍ବ ପାଇଁ ନିଲମ୍ବିତ କରାଯାଇଛି। ହାତୀ ଦ୍ୱାରା ଫସଲ କ୍ଷୟକ୍ଷତି ଆକଳନରେ ଅବହେଳା ପାଇଁ ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି।
ଏଥିସହ ଗତକାଲି ଏକ ରିପୋର୍ଟରୁ ଜଣାପଡିଥିଲା ଯେ, ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଡରାଇଲାଣି ଜଙ୍ଗଲ ନିଆଁ ଭୟ। ନିଆଁ ଆୟତ୍ତ କରିବା ପାଇଁ ନାକେଦମ ହେଲେଣି ବନବିଭାଗ କର୍ମଚାରୀ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅଧିନ ଟାକରା ଫରେଷ୍ଟ ସେକ୍ସନର ବିଭିନ୍ନ ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ନିଆଁ। ଦିନରାତି ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରି ନିଆଁ ଆୟତ୍ତ କରିବାରେ ଲାଗି ପଡିଛନ୍ତି ସ୍ଥାନୀୟ ବନ କର୍ମଚାରୀ। ଏହାସହ ଗାଁକୁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ନିଜର ଉଦ୍ୟମ ଜାରି ରଖିଛନ୍ତି।
ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ OAS ବାବୁ; ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି