ଭୁବନେଶ୍ୱର: ଖେଳ ଆରମ୍ଭ ହୋଇଯାଇଛି । ବିଜେଡ଼ିରୁ ଗୋଟିଏ ପରେ ଗୋଟିଏ ପାଖୁଡ଼ା ଖସୁଛି । ଆଜି ଏଭଳି ଭାବେ ବିରୋଧୀ ଦଳକୁ ଟାର୍ଗେଟ୍ କରିଛନ୍ତି ସିମୁଳିଆ ବିଜେପି ବିଧାୟକ ପଦ୍ମଲୋଚନା ପଣ୍ଡା ।
ପଦ୍ମଲୋଚନ କହିଛନ୍ତି ଯେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଭଳି ବିଜେଡ଼ିରୁ ଗୋଟିଏ ପରେ ଗୋଟିଏ ପାଖୁଡ଼ା ଖସୁଛି । ଯଦି ରବୀନ୍ଦ୍ର ଜେନା ଦଳରେ ମିଶନ୍ତି ତାଙ୍କୁ ସ୍ୱାଗତ କରାଯିବ । ସେହିପରି ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ହିଁ ଜିତିବେ ବୋଲି ଦମ୍ଭର ସହ କହିଛନ୍ତି ପଦ୍ମ । ଦୁଇଟି ଆସନ ସହିତ ତୃତୀୟ ଆସନ ମଧ୍ୟ ନେବ । ସେଥିପାଇଁ ଖେଳ ଆରମ୍ଭ ହୋଇସାରିଛି , ଖାଲି ସମୟକୁ ଅପେକ୍ଷା କରିବାକୁ ପଦ୍ମଲୋଚନ କହିଛନ୍ତି ।
ସେହିପରି ଦଳ ଅନ୍ୟ ଜଣେ ବିଧାୟକ ସନ୍ତୋଷ ଖଟୁଆ ଦଳରେ ନେତୃତ୍ୱ ଯାହା ନିଷ୍ପତ୍ତି ନେଉଛନ୍ତି ସେଥିପାଇଁ ସେମାନେ ସଠିକ୍ ନିଷ୍ପତ୍ତି ନେଉଛନ୍ତି । ଦଳ କିପରି ଆଗକୁ ବଢ଼ିବ, ପଞ୍ଚାୟତ ନିର୍ବାଚନରେ କିପରି ବାଜିମାତ କରିବ ସେଥିପାଇଁ କାର୍ଯ୍ୟ ଚାଲୁଛି । ସେହିପରି ରବୀନ୍ଦ୍ର ଜେନା ଦଳରେ ମିଶିପାରନ୍ତି ବୋଲି ସେ କହିଛନ୍ତି । ଦଳରେ ଅନ୍ୟ ଦଳର ବହୁ ନେତା ଆସିଛନ୍ତି, ଟିକେଟ୍ ପାଇଁ ନିର୍ବାଚନ ଲଢ଼ି ଜିତିଛନ୍ତି ଏବଂ ସରକାରକୁ ଚଳାଉଛନ୍ତି । ତେଣୁ ଯେଉଁମାନେ ଆସିବେ ସେମାନଙ୍କୁ ସ୍ୱାଗତ କରାଯିବ ।
ତେବେ ରାଜ୍ୟସଭା ନିର୍ବାଚନରେ ବିଜେପି ବାଜିମାତ କରିବା ବୋଲି ସନ୍ତୋଷ ମଧ୍ୟ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଜେଡ଼ିରୁ ଛିଡ଼ା ହୋଇଥିବା ପ୍ରାର୍ଥୀ (ଡାକ୍ତର ଦତ୍ତେଶ୍ୱର ହୋତା) ଜିତିଲେ କେଉଁ ଦଳ ପାଇଁ କାମ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ସବୁ ବିଜେଡ଼ି ଏବଂ କଂଗ୍ରେସ ସଦସ୍ୟ ତାଙ୍କୁ ଭୋଟ୍ ଦେବେ ବୋଲି ବାଧ୍ୟ ନୁହଁନ୍ତି । ତେଣୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଜିତିବା ସୁନିଶ୍ଚିତ ।