ଭୁବନେଶ୍ୱର: ପୂର୍ବତନ ବିଜେଡ଼ି ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ ହେବା ପରେ ଦଳରେ କମ୍ପନ ସୃଷ୍ଟି ହୋଇଛି । ରବୀନ୍ଦ୍ରଙ୍କ ଯୋଗଦାନ ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି । ଶୁକ୍ରବାର ପ୍ରବଳ ଅସନ୍ତୋଷ ଝାଡ଼ି ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ଦଳରେ ନୈତିକତାର ପତ୍ତନ ଘଟିଥିବା କ୍ଷୋଭର ସହ କହିଛନ୍ତି ପ୍ରଦୀପ ।
ଏକ ସାମ୍ବାଦିକ ସମ୍ମିଳନୀରେ ଜୀବନ ପ୍ରଦୀପ ନିଜର ଇସ୍ତଫା ଘୋଷଣା କରିଛନ୍ତି । ସେ ରାଜ୍ୟ ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସାଧାରଣ ସମ୍ପାଦକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହା ସହିତ ପ୍ରବଳ ଅସନ୍ତୋଷ ଝାଡ଼ିଛନ୍ତି । ନୀତି ନୈତିକତାରେ ବିଶ୍ୱାସ ରଖୁଥିବା ବିଜେପିରେ ନୈତିକ ପତ୍ତନ ଘଟିଥିବା ସେ କ୍ଷୋଭର ସହ କହିଛନ୍ତି । ଜୀବନ କହିଛନ୍ତି ଯେ ବିଜେପି ସବୁବେଳେ ପଞ୍ଚନିଷ୍ଠା ଉପରେ ଗୁରୁତ୍ୱ ଦେଇଛି । ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ‘ମୂଲ୍ୟବୋଧ ଯୁକ୍ତ ରାଜନୀତି’ । କ୍ଷମତାରେ ରହିବା ପାଇଁ ସବୁକିଛି କରିବାରେ ବିଜେପି ବିଶ୍ୱାସ କରେ ନାହିଁ । କିନ୍ତୁ କ୍ଷମତାସୀନ ହେଲା ପରେ ଦଳରେ ନୈତିକ ପତ୍ତନ ଘଟିଛି । ଜଣେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଦଳରେ ସାମିଲ କରିବା ପରେ ସେ କ୍ଷୋଭ ପ୍ରକାଶ କରିଛନ୍ତି । ସିବିଆଇ ଚାର୍ଜସିଟର ଶୁଣାଣି ପୂର୍ବରୁ ସେ ଦଳରେ ଯୋଗ ଦେଇଛନ୍ତି । ଜଣେ ଅଭିଯୁକ୍ତଙ୍କୁ କିପରି ଭାବେ ଗ୍ରହଣ କରାଗଲା ବୋଲି ଜୀବନ ପ୍ରଦୀପ ପ୍ରଶ୍ନ କରିଛନ୍ତି ।
ବିଜେପିରେ ଆଉ ଗଣତନ୍ତ୍ର ନ ଥିବା ବଡ଼ ଅଭିଯୋଗ ଆଣିଛନ୍ତି ପ୍ରଦୀପ । ରାଜ୍ୟସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ନ ଥାଇ ବିଜେପି ଆଉ ଜଣଙ୍କୁ ପ୍ରାର୍ଥୀ କରି ଘୋଡ଼ା ବେପାର କରିବାକୁ ଚେଷ୍ଟା କରାଯାଉଛି । ଯାହାକି ତାଙ୍କୁ ଗଭୀର ଆଘାତ ଦେଇଥିବା ସେ କହିଛନ୍ତି ।
ତେବେ ତାଙ୍କୁ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ବୁଝାଇଥିବା କହିଛନ୍ତି । ପରବର୍ତ୍ତୀ ସମୟରେ ଆଲୋଚନା କରିବେ ବୋଲି କହିଥିଲେ । କିନ୍ତୁ ନିଷ୍ପତ୍ତି ପରେ ଆଉ କୌଣସି ଆଲୋଚନାର ଆବଶ୍ୟକତା ନ ଥିବା କହିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ୨୦୦୦ ମସିହାରେ ଜୀବନ ପ୍ରଦୀପ ବାଲେଶ୍ୱର ଆସନରୁ ଲଢ଼ି ବିଧାନସଭାକୁ ଯାଇଥିଲେ । ୨୦୦୯ ମସିହାରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ । ୨୦୦୯ ଏବଂ ୨୦୧୪ ବିଧାନସଭା ନିର୍ବାଚନରେ ଦୁଇଥର ଏହି ଆସନ ବଜାୟ ରଖିଥିଲେ। ସେ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କଠାରୁ ପରାସ୍ତ ହୋଇଥିଲେ। ଜୁନ୍, ୨୦୨୦ରେ ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ପରେ ୨୦୨୦ ଉପନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଶାବାଦୀ ଥିଲେ । କିନ୍ତୁ ଦଳ ସ୍ୱରୂପ କୁମାର ଦାସଙ୍କୁ ବାଛିଥିଲା। ଯାହା ପରେ ତାଙ୍କ ଭିତରେ ଅସନ୍ତୋଷ ବଢ଼ିଥିଲା । ୫ ନଭେମ୍ବର, ୨୦୨୦ରେ ଦଳ ବିରୋଧୀ କାର୍ୟ୍ୟ ପାଇଁ ବିଜେଡ଼ିରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ଏହା ପରେ ୧୪ ଜାନୁଆରୀ, ୨୦୨୧ ସେ ପୁଣି ଥରେ ବିଜେପିକୁ ଫେରିଥିଲେ ।