ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଏବେ ଜୋର୍ ଧରିବାରେ ଲାଗିଛି। ଏହାରି ଭିତରେ ସବୁ ଦଳକୁ ବର୍ତ୍ତମାନ ଘାରିଛି ଘୋଡା ବେପାର ଭୟ ଘାରିଛି। ପ୍ରଥମ ଥର ପାଇଁ ନବୀନଙ୍କ ଘୋଡା ବେପାର ଉକ୍ତି ଓଡିଶା ରାଜନୀତିକୁ ଉଷ୍ମ କରି ଦେଇଛି। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି। ଏହା ଭିତରେ ପ୍ରତ୍ୟେକ ଦଳ ଆକ୍ଷେପ ପ୍ରତିଆକ୍ଷେପ ମଧ୍ୟ କରୁଛନ୍ତି।
ରାଜ୍ୟ ସଭା ନିର୍ବାଚନକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ବିଜେପି ସାଂସଦ ପ୍ରତାପ ମୁହାଁମୁହିଁ ହୋଇଛନ୍ତି। ଘୋଡ଼ା ବେପାର ନେଇ ପରସ୍ପରକୁ ଆକ୍ଷେପ କରିଛନ୍ତି ଦୁଇ ନେତା। ବିଜେପି ଘୋଡ଼ା ବେପାର କରୁଛି। ଏହା ଅପରାଧ ବୋଲି ନବୀନ କହିଥିବାବେଳେ ଏହାକୁ ନେଇ ନବୀନଙ୍କ ପୋଲ ଖୋଲିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ।
ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, "ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ ନବୀନ। ମୋତେ କିଣିବାକୁ ଚେଷ୍ଟା କରିଥିଲେ , ପଠେଇଥିଲେ ନେତା। ଘୋଡା ବେପାରରେ ନବୀନ ମାହିର। ୩ ଜଣ ବିଧାୟକଙ୍କୁ ପଠାଇଥିଲେ ମୁଁ ମନା କରିଥିଲି। ଏବେ ବି ଚାହୁଁଛନ୍ତି, ହେଲେ କରିପାରୁ ନାହାନ୍ତି, କ୍ଷମତା ଆଉ ନାହିଁ। ସେଥିପାଇଁ ଘୋଡା ବେପାର କଥା କହୁଛନ୍ତି, ବିଜେପି ଘୋଡା ବେପାର କରୁନି"।
ଏପଟେ ଜୟନାରାୟଣ ମିଶ୍ର ମଧ୍ୟ ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି, "ନବୀନଙ୍କର ଘୋଡା ବେପାର ଅଭିଜ୍ଞତା ରହିଛି। ଆମେ ଘୋଡା ବେପାର କରୁନୁ, ବିବେକାନୁମୋଦିତ ଭୋଟ ମାଗିଛୁ। ବିଜେଡି ବୁଡିଲା ଡଙ୍ଗା, ସିଏ ଡଙ୍ଗାରେ କିଏ ବସିବ। ଏଥିରୁ ନବୀନ ପରାଜୟ ସ୍ୱୀକାର କରୁଥିବା ଜଣାପଡିଗଲାଣି"।
ଅଧିକ ପଢନ୍ତୁ: ଘୋଡ଼ା ବେପାର ଭୟ ଭିତରେ BJD ବିଧାୟକଙ୍କୁ ନବୀନଙ୍କ କଡ଼ା ତାଗିଦ୍;୧୩ରୁ ୧୫ ତାରିଖ ଯାଏଁ ନବୀନ ନିବାସରେ ରହିବାକୁ ଲେଖିଲେ ଚିଠି