ମୟୁରଭଞ୍ଜ: ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ। ଶିମିଳିପାଳର ସାଉଥ ଡିଭିଜନ ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ ଅଞ୍ଚଳରେ ନିଆଁ ଲାଗି ବ୍ୟାପକ ଭାବେ ଜଳୁଛି। ନିଆଁ ଅତି ତୀବ୍ର ଭାବରେ ଶିମିଳିପାଳ ଭିତରକୁ ବ୍ୟାପିବାରେ ଲାଗିଛି। ଯାହାକୁ ନେଇ ସଂକଟରେ ଶିମିଳିପାଳର ଜୀବଜନ୍ତୁ।
ଧୀରେ ଧୀରେ ନିଆଁ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ, ବଡ଼ ବଡ଼ ଗଛ ନିଆଁରେ ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ। ତେବେ ବନ ବିଭାଗ ନିଆଁ କୁ ଆୟତ୍ତ କରିବାରେ ବିଫଳ ହୋଇଛି। ନିଆଁ ଲାଗିବା ଫଳରେ ବହୁ ଔଷଧୀୟ ବୃକ୍ଷ ଏବଂ ଗୁଳ୍ମଲତା ପୋଡି ନଷ୍ଟ ହୋଇଯାଇଛି। ସେପଟେ ନିଆଁ ଭୟଙ୍କର ରୂପ ଧାରଣ କରି ବଫର ଏରିଆ ରୁ କୋର ଏରିଆକୁ ବ୍ୟାପୁଥିବାରୁ ସମସ୍ୟା ବଢିବାରେ ଲାଗିଛି।
ସେହିପରି ଖରାଦିନ ଆରମ୍ଭରୁ ଜଳୁଛି ନୟାଗଡ ଜିଲ୍ଲାର ବିଭିନ୍ନ ଜଙ୍ଗଲ। ବିଶେଷକରି ଦଶପଲ୍ଲା ରେଞ୍ଜ , ପଞ୍ଚରିଡା ରେଞ୍ଜ ଏବଂ ଖଣ୍ଡପଡା ରେଞ୍ଜ ଅଞ୍ଚଳରେ ଦିନରାତି ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳିଛି। ବନବିଭାଗ ପାଲା, ଦାସକାଠିଆ, ଗାଁଗାଁରେ ସଭାସମିତି କରି ସଚେତନତା କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ଦୁବୃର୍ତ୍ତ ମାନେ ଜଙ୍ଗଲରେ ନିଆଁ ଲଗାଇଦେଉଛନ୍ତି। ଦଶପଲ୍ଲା ରେଞ୍ଜ ଜଙ୍ଗଲରେ ନିଆଁ ଲାଗିବା ଫଳରେ ବନ୍ୟଜନ୍ତୁ ଜନବସତି ମୁହାଁ ହୋଇଥିବାବେଳେ, କିଛି ସ୍ଥାନରେ ଗାଁକୁ ମାଡ଼ିଆସିଛି ନିଆଁ। ସାଟେଲାଇଟ ଇମେଜ ସହାୟତାରେ ବନବିଭାଗ କର୍ମଚାରୀ ନିଆଁ ଲିଭାଉଥିବା କହିଛନ୍ତି ଡିଏଫଓ।