କଟକ: ପ୍ରାପ୍ତବୟସ୍କ ଝିଅକୁ ପିତା-ମାତା କିମ୍ବା ଶ୍ଵଶୁର ଘରେ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଏଭଳି କରିବାକୁ ଆଇନରେ କୌଣସି ବ୍ୟବସ୍ଥା ନାହିଁ । ଏକ ମାମଲାର ବିଚାର କରି ଏଭଳି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଏହା ସହିତ ହେବିୟସ କର୍ପସ ପିଟିସନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ ।
ନିଜ ପରିବାର ଠାରୁ ଦୁରେଇ ରହୁଥିବା ଜଣେ ଝିଅକୁ ଖୋଜି ବାହାର କରିବାକୁ ମା’ଙ୍କ ତରଫରୁ ହେବିୟସ କର୍ପସ ପିଟିସନ ଦାୟର ହୋଇଥିଲା । ମୁଖ୍ୟ ବିଚାରପତି ହରିଶ୍ ଟଣ୍ଡନ ଏବଂ ବିଚାରପତି ଏମ୍ ଏସ୍ ରମନଙ୍କ ଖଣ୍ଡପୀଠ ୯ ମାର୍ଚ୍ଚରେ ଶୁଣାଣି କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଜଣେ ପ୍ରାପ୍ତବୟସ୍କ ମହିଳା ବା ଝିଅ ଯଦି ସ୍ୱାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଏକ୍ଷେତ୍ରରେ କୌଣସି ବାଧା ଦିଆଯାଇ ପାରିବ ନାହିଁ । ଏହା ସହିତ ଝିଅଙ୍କ ମାଆଙ୍କ ପକ୍ଷରୁ ଦାୟର ହୋଇଥିବା ପିଟିସନକୁ ଖାରଜ କରିଛନ୍ତି ।
ଆବେଦନକାରୀଙ୍କ ଅଭିଯୋଗ ମୁତାବକା, ତାଙ୍କର ବିବାହିତା ଝିଅ ନିଜ ଇଚ୍ଛାରେ ଶ୍ୱଶୁରଘର ଛାଡ଼ି ଚାଲିଯିବା ସହିତ ଏକ ଦୂର ସ୍ଥାନରେ ରହୁଛନ୍ତି । ତାଙ୍କ ବୈବାହିକ ବିବାଦ ମାମଲା ସିଭିଲ କୋର୍ଟରେ ବିଚାରାଧୀନ ରହିଛି ।୨୦୨୪ରେ ଝିଅ ଜଣକ ଥାନାରେ ହାଜର ହୋଇ ନିଜ ଶ୍ଵଶୁର ଘର ଓ ବାପା-ମା’ଙ୍କ ନିକଟରେ ରହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ସେ ଏକୁଟିଆ ଏବଂ ସ୍ୱାବଲମ୍ବୀ ହୋଇ ରହିବାକୁ ଚାହୁଁଛନ୍ତି ବୋଲି ପୋଲିସକୁ ଜଣାଇଥିଲେ । ପ୍ରାୟ ବର୍ଷେ ପରେ ହେବ ଝିଅର କୌଣସି ଖବର ମିଳୁନାହିଁ । ଯାହା ପରେ ମାଆ ହାଇକୋର୍ଟରେ ହେବିୟସ କର୍ପସ ପିଟିସନ ଦାଖଲ କରିଥିଲେ ।
ତେବେ ମାମଲାରେ ବିବାହିତା ଝିଅ କୌଣସି ଚାପରେ କିମ୍ବା ବେଆଇନ ଭାବେ ବନ୍ଦୀ ରହିଥିବାର କୌଣସି ପ୍ରମଣା ମିଳି ନ ଥିଲା । ସେ ସ୍ୱଇଚ୍ଛାରେ ଘରଠାରୁ ଦୂରେଇ ରହିଛନ୍ତି । ପ୍ରାପ୍ତ ବୟସ୍କ ହେବାପରେ ସେ ସ୍ୱାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ଖୋଜି ବାହାର କରିବାକୁ ବା ଏସଂପର୍କିତ ତଥ୍ୟ ପ୍ରମାଣ ପାଇବାକୁ ହେବିୟସ କର୍ପସ ପିଟିସନକୁ ବ୍ୟବହାର କରାଯାଇ ପାରିବ ନାହିଁ ହାଇକୋର୍ଟ କହିଛନ୍ତି ।