ଭୁବନେଶ୍ୱର: ମହିଳାଙ୍କ ପାଇଁ ଅସୁରକ୍ଷିତ ହେଉଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର। ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ହିଂସା ଦିନକୁ ଦିନ କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଦୁଷ୍କର୍ମ ହେଉ କି ଅସଦାଚରଣ। ଯୌତୁକ ନିର୍ଯାତନା ହେଉ ବା ଅପହରଣ। ମହିଳା ସମ୍ପର୍କିତ ଅପରାଧ ସବୁଥିରେ ରେକର୍ଡ ଭାଙ୍ଗିଛି କମିଶନରେଟ୍ ପୁଲିସ୍ର ଭୁବନେଶ୍ୱର ୟୁପିଡି। ୨୦୨୫ରେ ଭୁବନେଶ୍ୱର ୟୁପିଡିରେ ମହିଳା ହିଂସା ୨୦୨୪ ତୁଳନାରେ ୧୩୯% ବୃଦ୍ଧି ପାଇ ଥିବା ବେଳେ କଟକ ୟୁପିଡିରେ ଏହା ୧୧.୨% ହ୍ରାସ ପାଇଛି।
ରାଜଧାନୀରେ ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧ ହାର ଗତ କିଛି ବର୍ଷରେ ଚିନ୍ତାଜନକ ଭାବେ ବଢିଛି। ଯଦି ତଥ୍ୟ ଉପରେ ନଜର ପକାଇବା ତେବେ ତଥ୍ୟ କହୁଛି,୨୦୨୫ରେ ଭୁବନେଶ୍ୱର ୟୁପିଡିର ବିଭିନ୍ନ ଥାନାରେ ୧୧୫୯ ଗୋଟି ମାମଲା ରୁଜୁ ହୋଇଥିଲା। ୨୦୨୪ରେ ଭୁବନେଶ୍ୱରରେ ୟୁପିଡିରେ ୪୮୫ଟି ମାମଲା ରୁଜୁ ହୋଇଥିଲା। ୨୦୨୪ ତୁଳନାରେ ଏହା ୨୦୨୫ରେ ୧୩୯% ଅଧିକ ବୋଲି ପୁଲିସ୍ ରିପୋର୍ଟରେ ଉଲ୍ଲେଖ ରହିଛି।
୨୦୨୪ରେ ରାଜଧାନୀରେ ୧୪୯ ଜଣ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ୨୦୧ ଜଣ ମହିଳାଙ୍କୁ ଅପହରଣ କରାଯାଇଥିଲା। ୩୬ ଜଣ ଯୌତୁକ ନିର୍ଯାତନା, ୨୮ ଜଣ ଅଣଯୌତୁକ ନିର୍ଯାତନାର ଶିକାର ହୋଇଥିବା ବେଳେ ୧୬ ଜଣ ଯୌତୁକ ପାଇଁ ଜୀବନ ହାରିଥିଲେ। ୧୦ ଜଣ ଯୌନ ନିର୍ଯାତନା ଓ ୬ ଜଣ ସର୍ବସାଧାରଣ ସ୍ଥାନରେ ଅସଦାଚରଣର ଶିକାର ହୋଇଥିଲେ। ସେହିପରି ୨୦୨୫ରେ ଭୁବନେଶ୍ୱରରେ ମହିଳା ହିଂସା ଏତେ ବଢ଼ିଛି ଯେ ପୁଲିସ୍ର ଉପସ୍ଥିତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗତବର୍ଷ ମହିଳା ହିଂସା ନେଇ ୧୧୫୯ଟି ଅଭିଯୋଗ ହୋଇଥିଲା। ୧୭୦ ଜଣ ଦୁଷ୍କର୍ମ, ୩୬ ଜଣ ଅସଦାଚରଣ, ୩୧ ଯୌନ ନିର୍ଯାତନା, ୧୧ ସର୍ବସାଧାରଣ ସ୍ଥାନରେ ଅସଦାଚରଣ, ୪୫୧ ଜଣ ଅପହରଣର ଶିକାର ହୋଇଥିଲେ। ଯୌତୁକ ପାଇଁ ୨ ଜଣଙ୍କୁ ହତ୍ୟା କରାଯାଇଥିଲା। ଯୌତୁକ ପାଇଁ ୧୧ ଜଣ ଆତ୍ମହତ୍ୟା, ୧୧୩ ଜଣ ଯୌତୁକ ଜନିତ ନିର୍ଯାତନା ଓ ୧୭୧ ଜଣ ଅଣଯୌତୁକ ନିର୍ଯାତନାର ଶିକାର ହୋଇଥିଲେ। କଟକରେ ୟୁପିଡିରେ ମହିଳା ହିଂସା କମିଥିବା ରିପୋର୍ଟରୁ ଜଣାପଡିଛି। ୨୦୨୪ରେ ମହିଳା ହିଂସା ନେଇ ୧୨୩୧ ମାମଲା ରୁଜୁ ହୋଇଥିଲା। ୨୦୨୫ରେ ଏହି ସଂଖ୍ୟା ୧୧.୨% ହ୍ରାସ ପାଇ ୧୦୮୨ରେ ପହଞ୍ଚିଛି।
୨୦୨୫ରେ ଭୁବନେଶ୍ୱର ୟୁପିଡିରେ ୮୦ ଜଣ ଦୁଷ୍କର୍ମ, ୨୭୨ ଅସଦାଚରଣ, ୫୧ ଜଣ ଯୌନ ନିର୍ଯାତନା, ୧୮ ଜଣ ସର୍ବସାଧାରଣ ସ୍ଥାନରେ ଅସଦାଚରଣ, ୧୮୩ ଜଣ ଅପହରଣ ଶିକାର ହୋଇଥିଲେ। ୨୦୨୪ରେ କଟକରେ ୭୬ ଜଣ ନାବାଳିକା ଦୁଷ୍କର୍ମ ଶିକାର ହୋଇଥିଲେ। ୨୦୨୫ରେ ଏହି ସଂଖ୍ୟା ୬୦କୁ ହ୍ରାସ ପାଇଛି। ଏପରିସ୍ଥିତିରେ ସହରରେ ସିସିଟିଭି ବଢାଇବା, ପୋଲିସ ପେଟ୍ରୋଲିଂ ବୃଦ୍ଧି କରିବା ଓ ମହିଳା ସୁରକ୍ଷା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଜୋରଦାର କରିବା ପାଇଁ ଦାବି ଉଠୁଛି।
ପୋଲିସ ପକ୍ଷରୁ କୁହାଯାଇଛି ଯେ ମହିଳା ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଉଛି। ଅପରାଧୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି। ତଥାପି ରାଜଧାନୀରେ ମହିଳାଙ୍କ ସୁରକ୍ଷା ନେଇ ଉଠୁଥିବା ପ୍ରଶ୍ନ ଏବେ ଚିନ୍ତାର କାରଣ ହୋଇପଡିଛି।
ଅଧିକ ପଢନ୍ତୁ: ସୁନ୍ଦରଗଡ଼ରେ ଲଜ୍ଜା; ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା