ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ସୈନ୍ୟ ସଂଘର୍ଷ ମଧ୍ୟରେ ଉତ୍ତର କୋରିଆ ଦୁନିଆକୁ ପୁଣି ଥରେ ଚକିତ କରିଛନ୍ତି । ପୂର୍ବ ସାଗରରେ ଜାପାନ ଦିଗକୁ ୧୦ରୁ ଅଧିକ ମିସାଇଲ ମାଡ କରିଛି ଉତ୍ତର କୋରିଆ । ଦକ୍ଷିଣ କୋରିଆର ଜଏଣ୍ଟ ଚିଫ ଅଫ ଷ୍ଟାପ(ଜେସିଏସ) ଅନୁସାରେ, ଏହି ମିସାଇଲ ଶନିବାର ଅପରାହ୍ଣ ପ୍ରାୟ ୧ଟା ୨୦ରେ ରାଜଧାନୀ ପ୍ୟୋଙ୍ଗୟାଙ୍ଗର ସୁନାନ ଅଞ୍ଚଳରୁ ଛଡା ଯାଇଛି । ଜାପାନ ମିଡିଆ ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳ ପକ୍ଷରୁ ମିଳିଥିବା ସୂଚନା ଆଧାରରେ କହିଛି ଯେ, ଏହି ମିସାଇଲ ସମୁଦ୍ରରେ ଖସି ପଡିଛି । ଏହା ଚଳିତ ବର୍ଷ ଉତ୍ତର କୋରିଆର ତୃତୀୟ ବଡ ମିସାଇଲ ପରୀକ୍ଷଣ ।
ଏହି ପ୍ରକ୍ଷେପଣ ଏଥିପାଇଁ ମହତ୍ୱପୂର୍ଣ୍ଣ କାରଣ ଏହା ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଦକ୍ଷିଣ କୋରିଆର ପ୍ରଧାନମନ୍ତ୍ରୀ କିମ ମିନ ସିଓକଙ୍କ ମଧ୍ୟରେ ଅଚନାକ ଆଲୋଚନାର ଠିକ୍ ଗୋଟିଏ ଦିନ ପରେ ହୋଇଛି । ବୈଠକ ସମୟରେ ଟ୍ରମ୍ପ କିମ ଜୋଙ୍ଗ ଉନଙ୍କ ସହିତ ନିଜର ଉତ୍ତମ ସଂପର୍କ ଥିବା କହି ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ ପ୍ରଶ୍ନ କରିଥିଲେ ଯେ, କଣ କିମ ଜୋଙ୍ଗ ଉନ ଆମେରିକା କିମ୍ବା ତାଙ୍କ ସହ ଆଲୋଚନା କରିବାକୁ ଚାହାନ୍ତି କି ?
ଆଉ ଉତ୍ତର କୋରିଆ ଏହି କୂଟନୀତିର ଆରମ୍ଭର ଜବାବ ୨୪ ଘଣ୍ଟା ଭିତରେ ମିସାଇଲ ମାଡ କରି ଦେଇଛି । କିମ ସଙ୍କେତ ଦେଇଛନ୍ତି ଯେ, ସେ ବର୍ତ୍ତମାନ ଆଲୋଚନା କରିବା ମୁଡରେ ନାହାନ୍ତି । ବିଶେଷଜ୍ଞଙ୍କ କହିବା କଥା ଏହି ମିସାଇଲ ମାଡ କରି ଉତ୍ତର କୋରିଆ ଆଲୋଚନାର ସବୁ ଦ୍ୱାର ବନ୍ଦ କରି ଦେଇଛି । ଉତ୍ତର କୋରିଆ ଏହି ମିସାଇଲ ପରୀକ୍ଷଣ କରି ପୁଣି ଥରେ ଦୁନିଆରେ ଚହଳ ପକାଇଛନ୍ତି ।
Also read: ସରକାରଙ୍କ ବଡ ନିଷ୍ପତ୍ତି, ସୋନମ ୱାଙ୍ଗଚୁକଙ୍କୁ ତୁରନ୍ତ ମୁକ୍ତ କରାଯାଉ