ନୂଆଦିଲ୍ଲୀ: ଜଳବାୟୁ ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକଙ୍କୁ ନେଇ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଗୃହ ମନ୍ତ୍ରଣାଳୟ ତାଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ ଆଧାରରେ ସୋନମ ୱାଙ୍ଗଚୁକଙ୍କୁ ତତ୍କାଳ ପ୍ରଭାବରୁ ମୁକ୍ତ କରାଯିବ। ଏହା ପୂର୍ବରୁ ସୁପ୍ରିମକୋର୍ଟ ମଙ୍ଗଳବାର କହିଥିଲେ ଯେ, ଜେଲରେ ଥିବା ଜଳାବୟୁ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକଙ୍କ ଭାଷଣର ଭିଡିଓ ଏହି ସପ୍ତାହରେ ଦେଖିବେ । ଏହା ସହିତ ତାଙ୍କ ପତ୍ନୀ ଗୀତାଞ୍ଜଳି ଜେ ଏଗମୋଙ୍କ ଦ୍ୱାରା ଦାୟର ଯାଚିକା ଉପରେ ମାର୍ଚ୍ଚ ୧୭ରେ ଅନ୍ତିମ ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ ।
ଜଷ୍ଟିସ ଅରବିନ୍ଦ କୁମାର ଓ ଜଷ୍ଟିସ ପିବି ବରାଲେଙ୍କ ପୀଠ କହିଥିଲେ ଯେ, ଗୁରୁବାର ଭିଡିଓ ଦେଖିବେ ଏବଂ ରେଜିଷ୍ଟ୍ରାରଙ୍କୁ ସ୍କ୍ରିନିଂର ବ୍ୟବସ୍ଥା କରିବାକୁ କହିଥିଲେ । ପ୍ରଥମେ ଦୁଇ ବିଚାରପତି ଅଲଗା ଅଲଗା ଭିଡିଓ ଦେଖିବେ ଏବଂ ପୁଣି ଏକାଠି ବସି ଦେଖିବେ । କେନ୍ଦ୍ର ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ତରଫରୁ ହାଜର ଅତିରିକ୍ତ ସଲିସିଟର ଜେନେରାଲ ଜେନେରାଲ କେ ଏମ ନଟରାଜ କହିଛନ୍ତି ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଅସୁସ୍ଥ ଅଛନ୍ତି । ତେଣୁ ଏହି ମାମଲାକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଏଗମୋଙ୍କ ତରଫରୁ ହାଜର ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ, ବାରମ୍ବାର ସ୍ଥଗିତ ରଖାଯିବାରେ ଦେଶକୁ ଭୁଲ ସନ୍ଦେଶ ଯାଉଛି ।
ପୀଠ କହିଛନ୍ତି, ସେ ଆଗାମୀ ମଙ୍ଗଳବାର ଅନ୍ତିମ ଶୁଣାଣି ପାଇଁ ସୂଚୀବଦ୍ଧ କରୁଛନ୍ତି । କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେହି ଦିନ ଯାହା ବି ହେବ ଅଦାଲତ ନିଜର ରାୟ ସଂରକ୍ଷିତ ରଖିବେ । ଅନ୍ୟ କିଛି ବିନ୍ଦୁ ଉପରେ ବିତର୍କ ପାଇଁ ଆଉ ଅନୁମତି ଦିଆଯିବ ନାହିଁ । ସେହି ଦିନ ହିଁ ଚୂଡାନ୍ତ ଶୁଣାଣି ହେବ ଏବଂ ରାୟ ସଂରକ୍ଷିତ ରହିବ ବୋଲି ବିଚାରପତି କୁମାର କହିଛନ୍ତି । ସଲିସିଟର ଜେନେରାଲ କେବଳ କପିଲ ସିବଲଙ୍କ ଦ୍ୱାରା ଉଠାଯାଇଥିବା ତର୍କ ଉପରେ ଜବାବ ରଖି ପାରିବେ । ତେବେ ଏହା ପୂର୍ବରୁ କେନ୍ଦ୍ର ସରକାର ସୋନମ ୱାଙ୍ଗଚୁକଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପୂରା ଘଟଣା କ’ଣ ?
୨୦୨୫ସେପ୍ଟେମ୍ବର ୨୪ରେ ଲେହରେ ହିଂସା ଯୋଗୁଁ ଏକ ଗମ୍ଭୀର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ସରକାରଙ୍କ ଅନୁଯାୟୀ, ଆଇନ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଲେହ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଆଦେଶ ଅନୁଯାୟୀ, ସେପ୍ଟେମ୍ବର ୨୬, ୨୦୨୫ରେ NSA ର ବ୍ୟବସ୍ଥା ଅନୁଯାୟୀ ସୋନମ ୱାଙ୍ଗଚୁକଙ୍କୁ ଅଟକ ରଖାଯାଇଥିଲା। ସୋନମ ୱାଙ୍ଗଚୁକ ତାଙ୍କ ଅଟକ ଅବଧିର ପ୍ରାୟ ଅଧା ଜେଲରେ ବିତାଇଛନ୍ତି।
Also read: ସ୍ବତନ୍ତ୍ର ବିମାନରେ ଭାରତରୁ ଗଲେ ଇରାନର ଯୁଦ୍ଧଜାହାଜ IRIS ଲାଭାନାର କ୍ରୁ ସଦସ୍ୟ