ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ଅନ୍ତର୍ଗତ ସର୍ଗିଡିହି ଗ୍ରାମରେ ଦୁଇ ଶିଶୁ କନ୍ୟାଙ୍କୁ ହତ୍ୟା କରିଥିବା ମାଆର ଆତ୍ମହତ୍ୟା । ଦୁମକୁ ନାଳ ନିକଟସ୍ଥ ଗଛରେ ମାଆର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମହୁଲପାଲି ଥାନା ଘଟଣାସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ସର୍ଗିଡିହି ଗ୍ରାମର ଜେମେସ ମାଡ଼କି ଓ ସଞ୍ଜୁ ମାଡ଼କିଙ୍କ ୨ କନ୍ୟା ସୂହାନା ମାଡ଼କି, ଯାହାର ବୟସ ୬ ବର୍ଷ ଓ ଏକ ଚାରି ମାସର ଶିଶୁ କନ୍ୟା ଥିଲା । ଗତକାଲି ସନ୍ଧ୍ୟାରେ ସଞ୍ଜୁ ୨ ଶିଶୁ କନ୍ୟାଙ୍କୁ ନେଇ କେଉଁ ଆଡ଼କୁ ଚାଲି ଯାଇଥିଲେ । କିଛି ସମୟ ପରେ ସେ ଘରକୁ ଏକୁଟିଆ ଫେରିବାରୁ ଝିଅ ଦୁଇ ଜଣ କୁଆଡ଼େ ଗଲେ ବୋଲି ଜେମେସ ପଚାରିଥିଲେ । ସଞ୍ଜୁ ଶିଶୁମାନଙ୍କୁ ଘର ପାଖ ଚାଷ ଜମିରେ ଥିବା କୂଅରେ ପକାଇ ଦେଇଥିବା କହି ସେଠାରୁ ଦୌଡ଼ି ଚାଲି ଯାଇଥିଲେ । ସଞ୍ଜୁଙ୍କଠାରୁ ଜେମେସ ଏକଥା ଶୁଣି ତୁରନ୍ତ କୂଅ ନିକଟକୁ ଧାଇଁଥିଲେ । ଗ୍ରାମବାସୀଙ୍କ ସହାୟତାରେ ଉଭୟ ଶିଶୁଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।