ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଗରିଆପାଲି ଗାଁରେ ହୋଇଥିବା ଜଘନ୍ୟ ଟ୍ରିପଲ୍ ମର୍ଡର ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ରମେଶ ଗରିଆ (୫୨)କୁ ଏକ ପାଣି ଟାଙ୍କି ଉପରୁ ପୋଲିସ କାବୁ କରିବାରେ ସଫଳ ହୋଇଛି ।
ରମେଶ ଗରିଆ ନିଜ ସ୍ତ୍ରୀ, ବୋହୂ ଏବଂ ନାତୁଣୀକୁ ହତ୍ୟା କରି ଫେରାର ହୋଇଯାଇଥିଲା । ଆଜି ସକାଳେ ଗାଁ ପାଖରେ ଥିବା ପାଣି ଟାଙ୍କିରେ ଲୁଚିଥିବା ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ଟିମ୍ ପହଁଚି ତାକୁ ଧରିବାକୁ ନୟାନ୍ତ ହୋଇଥିଲେ । ଦୀର୍ଘ ସମୟ ପରେ କୌଶଳ କ୍ରମେ ଅଗ୍ନିଶମ ଦଳ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଏହା ପରେ ପୋଲିସ ନିଜ ହେପାଜତକୁ ନେଇଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ ।
ବୁଧବାର ବିଳମ୍ବିତ ରାତିରେ ପାରିବାରିକ କଳହକୁ କେନ୍ଦ୍ର କରି ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା ଥାନା ଗରିଆପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ରମେଶ ଗରିଆ ନିଜ ସ୍ତ୍ରୀ, ବୋହୂ ଏବଂ ନାତୁଣୀଙ୍କୁ ହାତୁଡ଼ିରେ ପିଟି ପିଟି ହତ୍ୟା କରିଥିଲା । ରମେଶ ଓ ତାଙ୍କ ପତ୍ନୀ ଗୁଲ୍ ଗାରିଆଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହା ପରେ ସେ ହାତୁଡ଼ିରେ ସ୍ତ୍ରୀକୁ ଆକ୍ରମଣ କରିଥିଲେ । ଏହା ଦେଖି ତାଙ୍କ ବୋହୂ ଲିପି ଗରିଆ ଅଟକାଇବାକୁ ଚେଷ୍ଟା କରିବାକୁ ସେ ମଧ୍ୟ ବର୍ତ୍ତି ପାରିନଥିଲା । ତା ସହିତ ପାଖରେ ଥିବା ଲିପିଙ୍କ ୪ ବର୍ଷୀୟ ଝିଅ ଇଶାନି ମଧ୍ୟ ଜେଜେବାପାଙ୍କ କ୍ରୋଧର ଶିକାର ହୋଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ।