ନୂଆଦିଲ୍ଲୀ: ଯଦି ମାସିକ ଧର୍ମ ଛୁଟି ଦେବାକୁ ଆଇନରେ ପରିଣତ କରାଯିବ, ତାହା ହେଲେ କୌଣସି ସଂସ୍ଥା ମହିଳାଙ୍କୁ ଚାକିରୀ ଦେବେ ନାହିଁ । ଆଜି ମାସିକ ଋତୁସ୍ରାବ ଛୁଟି ଆଇନରେ ପରିଣତ କରିବାକୁ ଆସିଥିବା ଜନହିତ ଯାଚିକାର ଶୁଣାଣି ବେଳେ କହିଛନ୍ତି ସର୍ବୋଚ୍ଚ ଅଦାଲତ ଖଣ୍ଡପୀଠ । ଏହା ସହିତ ଯାଚିକାର ଆଗାମୀ ଶୁଣାଣି କରିବାକୁ ସିଧା ସଳଖ ମନା କରିଦେଇଛନ୍ତି ।
ମାସିକ ଧର୍ମ ଛୁଟି ଆଇନ ଆଣିବାକୁ ଆସିଥିବା ଯାଚିକାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟା ବାଗଚୀଙ୍କ ଖଣ୍ଡପୀଠ ଏହି ଯାଚିକାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ । ମାସିକ ଧର୍ମ ଖରାପ ବୋଲି ଜାଣିଶୁଣି ମହିଳାଙ୍କ ମନରେ ଭର୍ତ୍ତି କରାଯାଉଛି । ଯାହାକି ଏକ ସକାରାତ୍ମକ ଅଧିକାର ଅଟେ । କିନ୍ତୁ ସଂସ୍ଥାମାନେ ପେଡ୍ ଲିଭ୍ ବା ଦରମା ସହିତ ଛୁଟି ଦେବାକୁ କହୁଛନ୍ତି ସେମାନଙ୍କ ବିଷୟରେ ଥରେ ଚିନ୍ତା କରିବା ଉଚିତ । ଯଦି ଏହା ଆଇନରେ ପରିଣତ ହୁଏ ତେବେ ତାହାର ସାମାଜିକ ଏବଂ ନିଯୁକ୍ତି କ୍ଷେତ୍ରରେ କଣ ପରିଣାମ ହେବ ତାହା ଉପରେ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା କର୍ମସ୍ଥଳୀରେ ମହିଳାଙ୍କ ଛବି ମଳିନ ହେବା ସହିତ ନକରାତ୍ମକ ପ୍ରଭାବ ବଢ଼ିବାର ଆଶଙ୍କା ରହିଛି । କମ୍ପାନୀମାନେ ନିଜ ଇଚ୍ଛାରେ ଛୁଟି ଦେବା ବହୁତ ଭଲ । କିନ୍ତୁ ଯଦି ଏହାକୁ ଆଇନରେ ପରିଣତ କରାଯାଏ ତେବେ ମହିଳାଙ୍କୁ କେହି ଚାକିରୀ ଦେବେ ନାହିଁ । ଏମିତିକି ସରକାରୀ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିପାରେ । ଏହା ଦ୍ୱାରା ମହିଳାଙ୍କ କ୍ୟାରିୟର ଶେଷ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କୋର୍ଟ କହିଛନ୍ତି । ତେବେ ଏହା ଉପରେ ସମସ୍ତ ବୁଦ୍ଧିଜୀବୀଙ୍କ ପରାମର୍ଶ ନିଆଯାଇ ଆଇନ ଆଣିବାର ସମ୍ଭାବନା ଉପରେ ବିଚାର କରାଯାଇପାରେ । ଏହା ସହିତ କୋର୍ଟ ଯାଚିକାର ଆଗାମୀ ଶୁଣାଣି ପାଇଁ ମନା କରିଛନ୍ତି ।
ଏହି ଜନସ୍ୱାର୍ଥ ମାମଲା ଶୈଳେନ୍ଦ୍ର ମଣି ତ୍ରିପାଠୀ ଦାୟର କରିଥିଲେ। ତାଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ଏମ.ଆର. ଶମଶାଦ କୋର୍ଟକୁ ସୂଚନା ଦେଇଥିଲେ ଯେ କିଛି ରାଜ୍ୟ ଏବଂ ପ୍ରତିଷ୍ଠାନ ଏହି ଦିଗରେ ସକାରାତ୍ମକ ପଦକ୍ଷେପ ନେଇସାରିଛନ୍ତି। ସେ କେରଳର ଉଦାହରଣ ଦେଇଥିଲେ, ଯେଉଁଠାରେ ଏହି ସମୟ ମଧ୍ୟରେ ବିଦ୍ୟାଳୟର ମହିଳା ଛାତ୍ରୀମାନଙ୍କୁ ଛୁଟି ଦିଆଯାଇଛି। ସେ ଏହା ମଧ୍ୟ ଦର୍ଶାଇଥିଲେ ଯେ ଅନେକ ଘରୋଇ କମ୍ପାନୀ ସ୍ୱେଚ୍ଛାକୃତ ଭାବରେ ସେମାନଙ୍କର ମହିଳା କର୍ମଚାରୀଙ୍କୁ ଏହି ଛୁଟି ଦେଉଛନ୍ତି। ସିଜେଆଇ ସହମତ ହୋଇ କହିଥିଲେ ଯେ କମ୍ପାନୀଗୁଡ଼ିକ ସ୍ୱେଚ୍ଛାକୃତ ଭାବରେ ଏପରି ନୀତି ପ୍ରଣୟନ କରିବା ସ୍ୱାଗତଯୋଗ୍ୟ । କିନ୍ତୁ ଆଇନ ମାଧ୍ୟମରେ ସେଗୁଡ଼ିକୁ ଲାଗୁ କରିବା କ୍ଷତିକାରକ ହୋଇପାରେ।