କେନ୍ଦୁଝରରେ ଗ୍ୟାସ୍ ନ ମିଳିବାରୁ ତାତିଲେ ଲୋକେ। ଖାଲି ଗ୍ୟାସ୍ ଟାଙ୍କି ରାସ୍ତା ଉପରେ ରଖି କେନ୍ଦୁଝର-ସାନଘାଗରା ମୁଖ୍ୟରାସ୍ତା ଅବରୋଧ କଲେ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଗ୍ୟାସ୍ର ଅଭାବକୁ ନେଇ ଶୁକ୍ରବାର କେନ୍ଦୁଝର ସହର ଧାଙ୍ଗଡ ପଡ଼ାରେ ଲୋକେ ରାସ୍ତାରୋକୋ କରିଛନ୍ତି।
ବୁକିଙ୍ଗ୍ କରି ଦୀର୍ଘ ଦିନ ଧରି ଗ୍ୟାସ ମିଳୁ ନ ଥିବା ଏବଂ ହୋମ ଡେଲିଭରି ଠିକ୍ ଭାବରେ ହେଉ ନ ଥିବାରୁ ଦେଖାଦେଉଥିବା ଅଭାବକୁ ନେଇ ଅସନ୍ତୋଷ ଲାଗି ରହିଥିଲା। ଯୁଦ୍ଧ ସରୁ ନ ଥିବାରୁ ଗ୍ୟାସ୍ ମିଳିବ ନାହିଁ ବୋଲି ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏଣୁ ଗ୍ୟାସ୍ ମିଳିବାରେ ବହୁ ବିଳମ୍ବ ହେଉଥିବାରୁ ଲୋକଙ୍କ ମଧ୍ୟରେ ଦେଖାଦେଉଥିବା ପୁଞ୍ଜିଭୂତ ଅସନ୍ତୋଷ ଆଜି ଉଗ୍ର ରୂପ ନେଇଥିଲା। ଉପଭୋକ୍ତାମାନେ ଆଜି ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଥିଲେ।
ଖବରପାଇ ଟାଉନ ଥାନା ପୋଲିସ ତୁରନ୍ତ ପହଞ୍ଚିି ଲୋକଙ୍କ ସହିତ ଆଲୋଚନା ପରେ କିଛି ସମୟ ପରେ ରାସ୍ତା ଅବରୋଧ ହଟିଥିଲା। ଆଜି ସକାଳେ ଗ୍ୟାସ୍ ପ୍ରଦାନକାରୀ ସଂସ୍ଥାର ଅଫିସ ଆଗରେ ଉପଭେକ୍ତାମାନେ ସିଲିଣ୍ଡର ଧରି ପ୍ରତିବାଦ କରିବା ପରେ କେହି ନ ଶୁଣିବାରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି।
କମ୍ ସମୟ ରାସ୍ତା ଅବରୋଧ ହୋଇଥିଲା। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଅବରୋଧ ହଟିଥିଲା ବୋଲି ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି। ତେବେ ଗ୍ୟାସ୍ ଅଫିସରେ ଲୋକଙ୍କ ଭିଡ ଲାଗିରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି। ଆଗକୁ ଏଭଳି ସ୍ଥିତି ଲାଗି ରହିଲେ, ଲୋକେ ପୁନର୍ବାର ରାସ୍ତାରୋକୋ କରିବେ ବୋଲି ଚେତାବନୀ ଦେଇଛନ୍ତି। ପରେ, IOCL ସଂସ୍ଥାର ବିଭାଗୀୟ ଅଧିକାରୀ ଗ୍ୟାସ୍ ଯୋଗାଣକାରୀ ସଂସ୍ଥାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅଧିକ ପଢନ୍ତୁ: ଦୂର ହେବେ ରନ୍ଧନ ଗ୍ୟାସ୍ ଅଭାବ; LPG ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୦ହଜାର ଲିଟର କିରୋସିନ୍