ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅରଣ୍ଡୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ଗାଧୋଉଥିବାବେଳେ ୨ ଜଣ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଉଭୟଙ୍କ ପରିଚୟ ମିଳିପାରିନାହିଁ ।
ଆଜି ସକାଳେ ଛାତ୍ରୀ ଦୁଇ ଜଣ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ରଙ୍ଗ ଖେଳି ଆସିଥିବାରୁ ଗାଁ ପୋଖରୀକୁ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ । ମାତ୍ର ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ପୋଖରୀରେ ଖୋଜିବା ପରେ ଉଭୟଙ୍କ ମୃତ ଦେହ ମିଳିଥିଲା ।
ଉଲ୍ଲେଖ ଯୋଗ୍ୟ, ଗତକାଲି କଟକ ଜିଲ୍ଲା ଚୌଦ୍ୱାର ବିରୂପା ବ୍ୟାରେଜ୍ ଏକ ନମ୍ବର ଗେଟ ନିକଟରେ ଦୁଇ ଭାଇଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ମୃତକ ଦୁଇ ଜଣ ଚୌଦ୍ୱାର ମଣ୍ଡାପଡ଼ା ଅଞ୍ଚଳର ଦେବାଶିଷ ସାହୁ ଓ ଶୁଭାଶିଷ ସାହୁ । ସେହିପରି ମଙ୍ଗଳବାର ଦିନ କେନ୍ଦୁଝର ଜିଲ୍ଲା ରାଇସୁଆଁ ସ୍ଥିତ ପୁରୁଣା ସଦର ଥାନା ପାଖଟେରା ଅଞ୍ଚଳରେ ଦୁଇ ଭାଇ ଆମାମାନ ଅନସାରୀ (୯ ବର୍ଷ) ଓ କୁଶାଲ ଅନସାରୀ (୮ବର୍ଷ ) ଗାଧୋଉଥିବାବେଳେ ବୁଡ଼ି ଯାଇ ପ୍ରାଣ ହରାଇଥିଲେ ।