ଭୁବନେଶ୍ୱର ; ଗ୍ରୀଷ୍ମ ଆରମ୍ଭରୁ ଏବେ ତାତି ଅସମ୍ଭାଳ ହେଲାଣି। କେବଳ ଓଡ଼ିଶା କିମ୍ବା ଭାରତରେ ନୁହେଁ ବରଂ ବିଶ୍ୱବ୍ୟାପୀ ତାପମାତ୍ରା ଏକ ଚିନ୍ତାଜନକ ହାରରେ ବୃଦ୍ଧି ପାଉଛି। ଯେଉଁ ସ୍ଥାନଗୁଡ଼ିକରେ ପୂର୍ବରୁ ମଧ୍ୟମ ଜଳବାୟୁ ଥିଲା, ସେଗୁଡ଼ିକ ଏବେ ଯଥେଷ୍ଟ ଅଧିକ ପରିମାଣରେ ରେକର୍ଡ ହେଉଛି। ଯାହା ବ୍ୟାପକ ଚିନ୍ତା ସୃଷ୍ଟି କରୁଛି। ଏପରିକି ସକାଳ ୮ ଟା ହେବା ମାତ୍ରେ ଅସହ୍ୟ ତାତି ଅନୁଭୂତ ହେଉଛି।
ସାରା ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଝାରସୁଗୁଡା, ସୁନ୍ଦରଗଡ ଏବଂ ସମ୍ବଲପୁର ସହରଗୁଡ଼ିକ ଏହି ସୀମା ଅତିକ୍ରମ କରିପାରେ। ଏପରିକି ସମଗ୍ର ଅଞ୍ଚଳରେ ଦିନର ତାପମାତ୍ରା ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ତେବେ ମାର୍ଚ୍ଚ ୧୫ ତାରିଖରୁ ଅସହ୍ୟ ତାତି ଅନୁଭୂତ ହେବା ନେଇ ଆକଳନ କରାଯାଇଛି।
ତେବେ ଖରାଦିନେ ଅଧିକାଂଶ ଲୋକେ ଅଂଶୁଘାତର ଶିକାର ହୁଅନ୍ତି। ତେଣୁ ଅଂଶୁଘାତର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ଖରାଦିନେ କିପରି ବିଦ୍ୟୁତ ସେବା ବ୍ୟାହାତ ନ ହୁଏ ସେଥିପାଇଁ ଧ୍ୟାନ ଦିଆଯାଉଛି। ରାଜ୍ୟର ୩୦ଟି ଜିଲ୍ଲା, ଟ୍ୱିନ୍ ସିଟି, ୧୦ ପୌରାଞ୍ଚଳ ପାଇଁ ହିଟୱେଭ ଆକ୍ସନ ପ୍ଲାନ ହୋଇଛି। ଆଉ ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ। ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି।