ଭୁବନେଶ୍ଵର: ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍ ଧରିବାରେ ଲାଗିଛି। ଏହାରି ଭିତରେ ସବୁ ଦଳକୁ ବର୍ତ୍ତମାନ କ୍ରସ ଭୋଟିଂ ଭୟ ଘାରିଛି। ତେଣୁ ରାଜ୍ୟର ୩ ପ୍ରମୁଖ ଦଳ ନିଜ ବିଧାୟକମାନଙ୍କୁ ନେଇ ରାଜ୍ୟ ସଭା ନିର୍ବାଚନ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରଖିବାକୁ ସ୍ଥିର କରିଛି।
ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ଶିବିରରେ ଏବେ ଜୋରଦାର ରଣନୀତି। ବିଜେଡିରୁ ଯେପରି କ୍ରସ ଭୋଟିଂ ନ ହୁଏ, ସେଥିପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱଦେବା ଆରମ୍ଭ କରିଛନ୍ତି। ନିଜର ଦୁଇ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ବିଜୟ ସୁନିଶ୍ଚିତ କରିବାକୁ ଦଳ ଏକ ସ୍ୱତନ୍ତ୍ର ‘ବ୍ଲୁ-ପ୍ରିଣ୍ଟ’ ପ୍ରସ୍ତୁତ କରିଛି।
କ୍ରସ୍ ଭୋଟିଂର ଆଶଙ୍କାକୁ ଏଡ଼ାଇବା ପାଇଁ ବିଜେଡି ନିର୍ବାଚନ ଦିନ କୌଣସି ବିଧାୟକ ଯେପରି ବିରୋଧୀଙ୍କ ସଂସ୍ପର୍ଶରେ ନଆସିବେ, ସେଥିପାଇଁ ସମସ୍ତଙ୍କୁ ଏକାଠି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବାକୁ ବ୍ୟବସ୍ଥା କରାଯାଇଛି। ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ବିଜେଡି ବିଧାୟକମାନେ ସନ୍ଧ୍ୟା ୫ଟା୩୦ରୁ ୭ଟା୩୦ ପର୍ଯ୍ୟନ୍ତ ନବୀନ ନିବାସରେ ରହିବେ। ୧୩ ଏବଂ ୧୪ରେ ରାଜ୍ୟ ସଭା ନିର୍ବାଚନ ସମ୍ପର୍କିତ ବିଷୟ ଉପରେ ଟ୍ରେନିଂ କାର୍ଯ୍ୟକ୍ରମ ହେବ। ୧୫ ତାରିଖରେ ବିଧାୟକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାରକରି କାର୍ଯ୍ୟ କରାଯିବ ବୋଲି ଉଲ୍ଲେଖଥିବା ଚିଠି ସବୁ ବିଧାୟକଙ୍କୁ ନବୀନ ପଠାଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଗୁରୁବାର ନବୀନ ନିବାସକୁ କେତେଜଣ ବିଧାୟକଙ୍କୁ ଡକାଯାଇଥିଲା। ଅପରାହ୍ନ ସାଢେ ୪ଟା ପରେ ବିଧାୟକ ନିରଞ୍ଜନ ପୂଜାରୀ, ଅରୁଣ କୁମାର ସାହୁ, ପ୍ରତାପ ଦେବ, ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ନବୀନ ନିବାସ ଯାଇ ଦଳର ସଭାପତିଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ନବୀନ ରାଜ୍ୟ ସଭା ନେଇ ସମସ୍ତଙ୍କଠାରୁ ମତାମତ ଲୋଡ଼ିଥିଲେ। ବିଜେପି ସହ ଆଉ ବିଜେଡି ନାହିଁ ବୋଲି ତଳସ୍ତର ପର୍ଯ୍ୟନ୍ତ ବାର୍ତ୍ତା ଯାଇସାରିଥିବା ସେଠାରେ ଉପସ୍ଥିତ ବିଧାୟକମାନେ ନବୀନଙ୍କୁ ଜଣାଇଥିବା ଚର୍ଚ୍ଚା ହେଉଛି। ଏହି ସମୟରେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ସାଙ୍ଗରେ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ସାଙ୍ଗରେ ନେଇ ନବୀନ ନିବାସରେ ପହଞ୍ଚିଥିଲେ।
ନବୀନଙ୍କ ଟେନସନ୍
ଏଣେ ପୂର୍ବତନ ବିଜେଡି ସାଂସଦ ରବି ଜେନାଙ୍କ ବିଜେପିରେ ଯୋଗଦାନ ନବୀନଙ୍କ ଟେନସନ୍ ବଢ଼ାଇଛି। କାରଣ ତାଙ୍କ ପତ୍ନୀ ତଥା ବସ୍ତା ବିଧାୟିକା ସୁଵାସିନୀ ଜେନା ଏବେ ବି ବିଜେଡିରେ ଅଛନ୍ତି। ସୁବାସିନୀ ଆଜି ବି ସସପେନସ ରଖି ପ୍ରତିକ୍ରିୟା ଦେଇଛନ୍ତି। ନବୀନଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛି କିନ୍ତୁ ଭୋଟ କାହାକୁ ଦେବି ତାହା ମାର୍ଚ୍ଚ ୧୬ରେ ଜାଣିବେ ବୋଲି କହିବା ପରେ ଚର୍ଚ୍ଚା ବଢ଼ିଛି। ବିଜେଡି କିନ୍ତୁ ତାଳି ପକାଇ କହିଛି, ସୁବାସିନୀ ଆମ ସହିତ ଅଛନ୍ତି, ତାଙ୍କ ଭୋଟ ବି ଆମ ସପକ୍ଷରେ ରହିବ।
ରାଜ୍ୟସଭା ନିର୍ବାଚନକୁ ନେଇ ଏବେ ଉଷ୍ମ ହେଉଛି ରାଜନୀତି। ଅଧିକାଂଶ ଯୁବ ଓ ନୂଆ ବିଧାୟକ ଥିବାରୁ କେମିତି ଦେବେ ଭୋଟ ଏନେଇ ନିଜ ନିଜ ଦଳ ପକ୍ଷରୁ ଦିଆଯାଉଛି ଟ୍ରେନିଂ। ସେପଟ ହୁଇପ ଜାରି କରି ନିଜ ନିଜ ଭୋଟକୁ ରୋକିବାକୁ ପ୍ରାଣ ପ୍ରଣେ ଉଦ୍ୟମ କରୁଛନ୍ତି ବିରୋଧୀ।
ଅଧିକ ପଢନ୍ତୁ: ସୁପ୍ରିମୋଙ୍କ ନିର୍ଦ୍ଦେଶରେ କାମ କରିବି: ସୁବାସିନୀ ଜେନା