ସୁନ୍ଦରଗଡ଼: ଲାଞ୍ଚ ନେଇ ଫସିଗଲେ ପୋଲିସ ବାବୁ। ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ପୋଲିସ ଷ୍ଟେସନର ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ଅରୂପା ନନ୍ଦ ଦାସ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ରାସ୍ତାପାର୍ଶ୍ୱରେ ଥିବା ଏକ ଢାବାର ମାଲିକଙ୍କ ଠାରୁ ମଦ ଦୋକାନ ଚଳାଇବା ପାଇଁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ଭିଜିଲାନ୍ସ ହାତରେ ସେ ଧରାପଡିଛନ୍ତି। ଅଭିଯୋଗକାରୀଙ୍କ ସପକ୍ଷରେ ଏକ ବିଚାରାଧୀନ ମାମଲା ସମାଧାନ କରିବା ଏବଂ ପୋଲିସ ହଇରାଣ ବିନା ତାଙ୍କ ବ୍ୟବସାୟକୁ ସୁଗମ କରିବା ପାଇଁ ASI ଅରୂପା ନନ୍ଦ ଦାସ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବିକ, ଗୁରୁବାର ସନ୍ଧ୍ୟାରେ ବଡ଼ଗାଁ ପୋଲିସ ଥାନାର ଏଏସ୍ଆଇ ଅରୂପା ନନ୍ଦ ଦାସ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଢାବାମାଲିକଙ୍କୁ ଏକ ମାମଲାରେ ସାହାଯ୍ୟ କରିବା ଏବଂ ତାଙ୍କ ବ୍ୟବସାୟକୁ ସୁଗମ କରିବା ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ। ଏଏସ୍ଆଇ ଦାସ ତାଙ୍କୁ ୨୫,୦୦୦ ଟଙ୍କା ଲାଞ୍ଚ ନ ଦେଲେ ଗିରଫ କରିବାକୁ ଧମକ ମଧ୍ୟ ଦେଇଥିଲେ। ତେଣୁ ହୋଟେଲ ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ।
ଅଭିଯୋଗ ପାଇବା ପରେ ପୋଲିସ ବାବୁଙ୍କୁ ଧରିବାକୁ ଜଳ ବିଛାଇଥିଲା ଭିଜିଲାନ୍ସ:
ପୂର୍ବ ଯୋଜନା ମୁତାବକ ଗୁରୁବାର ହୋଟେଲ ମାଲିକଙ୍କଠାରୁ ଏଏସ୍ଆଇ ବଡଗାଁ ଥାନା ସମ୍ମୁଖରେ ଥିବା ଏକ ଚା’ ଦୋକାନ ନିକଟରେ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଏଏସ୍ଆଇଙ୍କୁ ଭିଜିଲାନ୍ସ ଅଧିକାରୀମାନେ ସ୍ୱତନ୍ତ୍ର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାବୁ କରି ଗିରଫ କରିଛନ୍ତି। ତାଙ୍କ ନିକଟରୁ ସମସ୍ତ ୨୫,୦୦୦ ଟଙ୍କା ଜବତ କରାଯାଇଛି ଏବଂ ପ୍ରମାଣ ଭାବରେ ବିଧିବଦ୍ଧ ଭାବରେ ଜବତ କରାଯାଇଛି।
ଏହାପରେ ପୋଲିସ ASI ବାବୁଙ୍କ ଚାରୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଏଏସ୍ଆଇଙ୍କ କାର୍ଯ୍ୟରତ ବଡଗାଁ ଥାନା,ସରକାରୀ କ୍ବାଟର ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏଥିସହ ରାଉରକେଲା ଭିଜିଲାନ୍ସ ଥାନା ମାମଲା ନଂ ୦୧/୨୦୨୬ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ASI ଅରୂପା ନନ୍ଦ ଦାସଙ୍କ ବିରୋଧରେ ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରହିଥିବାରୁ ଅଧିକ ବିବରଣୀ ପାଇଁ ପରବର୍ତ୍ତୀ ସମୟରେ ଖବରକୁ ଅପଡେଟ୍ କରାଯିବ।
ଅଧିକ ପଢନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କଣ୍ଟାପଡ଼ା ତହସିଲଦାର; ଗତକାଲି ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ