ମଣିପୁରରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ସୁରକ୍ଷାବଳ ଉଗ୍ରବାଦୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଖରୁଲ ଜିଲ୍ଲାରେ ୨୩ଟି ବେଆଇନ ବଙ୍କରକୁ ନଷ୍ଟ କରିଦେଇଛନ୍ତି। ଏହା ସହିତ ତେଙ୍ଗନୌପାଲ ଜିଲ୍ଲାରୁ ୧୮ଟି IED ଜବତ କରାଯାଇଛି। ପୋଲିସ ଶନିବାର (୨ ମଇ) ଜାରି କରିଥିବା ଏକ ବିବୃତ୍ତିରେ କହିଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ମଙ୍ଗଳବାର ଦିନ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ କରାଯାଇଥିଲା।
ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ
ବିବୃତ୍ତି ଅନୁଯାୟୀ, ଲିଟନ ପୋଲିସ ଷ୍ଟେସନ ଅନ୍ତର୍ଗତ ମୋଙ୍ଗକୋଟ ଚେପୁ, ଶୋଙ୍ଗଫେଲ, ମୁଲ୍ଲମ, ସିରାରାଖୋଙ୍ଗ ଏବଂ ରିଙ୍ଗୁର ପାର୍ବତ୍ୟ ଗ୍ରାମଗୁଡ଼ିକରେ ଗତ ଗୁରୁବାର ଦିନ ବଙ୍କରଗୁଡ଼ିକୁ ନଷ୍ଟ କରାଯାଇଥିଲା। ଏହା ସହ ୧୨ ବୋରର ଏକ ପମ୍ପ-ଆକ୍ସନ ଶଟଗନ୍, ୧୭ଟି କାର୍ତ୍ତୁସ ଏବଂ ୧୧୧ଟି ଖୋକା ଜବତ କରାଯାଇଛି।
ଅନ୍ୟପଟେ ବୁଧବାର ଏକ ପୃଥକ ଅଭିଯାନରେ ସୁରକ୍ଷା ବଳ ତେଙ୍ଗନୌପାଲ ଜିଲ୍ଲାର ମୋରେ ପୋଲିସ ଷ୍ଟେସନ ଅଞ୍ଚଳର ଟି. ବୋଙ୍ଗମୋଲ ଗ୍ରାମରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରିଛନ୍ତି। ସୂଚନା ମୁତାବକ, ଦୁଇଟି ସିଙ୍ଗଲ ବ୍ୟାରେଲ ରାଇଫଲ, ମ୍ୟାଗଜିନ ସହିତ ୯ ମିମିର ଚାରୋଟି ପିସ୍ତଲ ଏବଂ ୧୮ଟି IED ଜବତ ହୋଇଛି। ଏହି ବିସ୍ଫୋରକଗୁଡ଼ିକୁ ସାବଧାନତାର ସହ ଘଟଣାସ୍ଥଳରେ ହିଁ ନଷ୍ଟ କରାଯାଇଛି।
କାଙ୍ଗପୋକପି ଏବଂ ଉଖରୁଲ ଜିଲ୍ଲାରେ କାର୍ଯ୍ୟାନୁଷ୍ଠାନ
ଏହାପୂର୍ବରୁ ସୁରକ୍ଷା ବଳ ବ୍ୟାପକ ସର୍ଚ୍ଚ ଅପରେସନ ଚଳାଇ କାଙ୍ଗପୋକପି ଏବଂ ଉଖରୁଲ ଜିଲ୍ଲାରେ ମୋଟ ୧୨ଟି ବେଆଇନ ବଙ୍କରକୁ ଧ୍ୱଂସ କରିଥିଲେ। ପୋଲିସ ଅନୁଯାୟୀ, କାଙ୍ଗପୋକପି ଜିଲ୍ଲାର ସାଇକୁଲ ଥାନା ଅଞ୍ଚଳରେ ଥିବା ଲୁଙ୍ଗଟର ହିଲ୍ରେ ୩ଟି ବଙ୍କର, ଟିଙ୍ଗପିବୁଙ୍ଗ ଏବଂ ଲେପଲେନ ଗ୍ରାମରେ ଗୋଟିଏ ଲେଖାଏଁ ବଙ୍କର ନଷ୍ଟ କରାଯାଇଛି। ସେହିପରି ଉଖରୁଲ ଜିଲ୍ଲାର ଲିଟନ ଥାନା ଅଞ୍ଚଳରେ ୭ଟି ବଙ୍କର ଧ୍ୱଂସ କରାଯାଇଛି। ଏହି ସବୁ ବଙ୍କର ଉଚ୍ଚ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ନିର୍ମାଣ କରାଯାଇଥିଲା, ଯାହା ଆକ୍ରମଣ ଓ ପାଲଟା ଆକ୍ରମଣ ପାଇଁ ବ୍ୟବହୃତ ହେଉଥିଲା।
ହିଂସାରେ ୭ ଜଣଙ୍କ ମୃତ୍ୟୁ
ଏହି ବେଆଇନ ବଙ୍କରଗୁଡ଼ିକ ଫେବୃଆରୀରୁ ଆରମ୍ଭ ହୋଇଥିବା ହିଂସା ପରେ କୁକି ଏବଂ ଟାଙ୍ଗଖୁଲ ନାଗା ସମ୍ପ୍ରଦାୟର ସଶସ୍ତ୍ର ଗୋଷ୍ଠୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଦୁଇ ସମ୍ପ୍ରଦାୟ ମଧ୍ୟରେ ବଢୁଥିବା ସଂଘର୍ଷ ଯୋଗୁଁ ଅବସ୍ଥା ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଉଖରୁଲ ଜିଲ୍ଲାରେ ହୋଇଥିବା ଗୁଳି ବିନିମୟରେ ଅତିକମରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଘର ପୋଡ଼ି ଦିଆଯାଇଛି। ଉଖରୁଲ, କାମଜୋଙ୍ଗ ଏବଂ କାଙ୍ଗପୋକପି ଜିଲ୍ଲା ଏହି ହିଂସାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।
ଗୁଜବରୁ ଦୂରେଇ ରହିବାକୁ ଅପିଲ
ରାଜ୍ୟରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ଏଭଳି ଅଭିଯାନ ଜାରି ରହିବ ବୋଲି ସୁରକ୍ଷାବଳ କହିଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ନଜର ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିସହ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଗୁଜବରୁ ଦୂରେଇ ରହିବାକୁ ଏବଂ ସହଯୋଗ କରିବାକୁ ନିବେଦନ କରାଯାଇଛି।