ଭୁୁବନେଶ୍ୱର: ଆଜି ଦିନଟି ପରେ ଅର୍ଥାତ ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ । ରାଜ୍ୟସଭା ନିର୍ବାଚନକୁ ନେଇ ଓଡିଶା ରାଜନୀତିରେ ଯେଉଁ ତାତି ଦେଖିବାକୁ ମିଳିଛି ତାହା ପ୍ରାୟ ଦୁଇ ଦଶନ୍ଧି ପରେ ଦେଖିବାକୁ ମିଳିଛି । ଘୋଡା ବେପାର ଏବଂ କ୍ରସ ଭୋଟିଂ ମଧ୍ୟରେ ଆସନ୍ତାକାଲି ଭୋଟ୍ ଦେବେ ସବୁ ଦଳର ବିଧାୟକ । ତେବେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସକୁ ଅଧିକ କ୍ରସ ଭୋଟିଂର ଭୟ ରହିଛି । ସେଥିପାଇଁ କଂଗ୍ରେସ ନିଜର ବିଧାୟକଙ୍କୁ ବେଙ୍ଗାଲୁରୁରେ ନେଇ ରଖିଛି । ତଥାପି ଆଉ କିଛି ବିଧାୟକ ବେଙ୍ଗାଲୁରୁ ଯାଇ ନାହାନ୍ତି । ଏସବୁ ମଧ୍ୟରେ କଂଗ୍ରେସ ବିଧାୟକ ଯେମିତି କ୍ରସ ଭୋଟିଂ ନ କରନ୍ତି ତାକୁ ଦୃଷ୍ଟିରେ ରଖି ପିସିସି ସଭାପତି ଭକ୍ତ ଚରଣ ଦାସ କଂଗ୍ରେସର ଏଜେଣ୍ଟ ରହିବେ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ରବିବାର ଏହି ସୂଚନା ଦେଇଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କ ସହ ଯୋଗାଯୋଗ ହୋଇଛି । ସେ କମନ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍ ଦେବେ । ଆମର ୧୪ ବିଧାୟକ ଏକ ଅଛୁ । କେହ କ୍ରସ ଭୋଟିଂ କରିବେ ନାହିଁ । ଯେଉଁମାନେ ବାହାରେ ଅଛନ୍ତି, ସେମାନେ ଠିକ୍ ସମୟରେ ଆସି ପହଞ୍ଚିବେ । କଂଗ୍ରେସ ସହିତ ଆମେ ଅଛୁ, ନିଷ୍ପତ୍ତି ମାନିବା ଦରକାର । ସୋଫିଆ କଣ କହିଥିଲେ ମୁଁ ଜାଣିନି । ସମସ୍ତଙ୍କୁ ଦଳର ନିଷ୍ପତ୍ତି ମାନିବା ଉଚିତ୍ ।
ବିଜେପିକୁ ନିଜ ଉପରେ ଭରସା ନାହିଁ
ଏପରିକି ସରକାରୀ ଦଳର ବିଧାୟକମାନେ କାହିଁକି ପାରାଦୀପ ଗଲେ ବୋଲି କାଡାମ ପ୍ରଶ୍ନ କରିଛନ୍ତି । ବୋଧହୁଏ ନିଜର ବିଧାୟକଙ୍କ ଉପରେ ବିଜେପିର ବୋଧହୁଏ ଭରସା ନାହିଁ । ସେଥିପାଇଁ ନିଜର ବିଧାୟକଙ୍କୁ ପାରାଦୀପ ନେଇ ଯାଇଛି ବିଜେପି । କାରଣ ବିଜେପିର କିଛି ବିଧାୟକ ବୋଧହୁଏ ସ୍ୱାଧୀନ ପ୍ରାର୍ଥୀ ସପକ୍ଷରେ ନାହାନ୍ତି । ବିଜେପିରେ କ୍ରସ ଭୋଟିଂର ଭୟ ଘାରିଛି ।
ବିରୋଧୀଙ୍କୁ କ୍ରସ ଭୋଟିଂର ଭୟ
ସୂଚନାଯୋଗ୍ୟ, ଓଡିଶାରୁ ଚାରୋଟି ଆସନ ମଧ୍ୟରୁ ତିନୋଟି ଆସନର ଫଳାଫଳ ସ୍ପଷ୍ଟ ହୋଇ ସାରିଥିବା ବେଳେ ଚତୁର୍ଥ ଆସନ ପାଇଁ ଲଢେଇ ରୋଚକ ହେଉଛି । ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲୀପ ରାୟଙ୍କୁ ବିଜେପି ମଇଦାନରେ ଛାଡିଥିବା ବେଳେ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥନରେ ଡ. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଛନ୍ତି । ସଂଖ୍ୟା ବଳରେ ବିରୋଧୀ ଆଗୁଆ ଥିଲେ ହେଁ କ୍ରସ ଭୋଟିଂର ଭୟ ଘାରିଛି । କାରଣ ଉଭୟ ବିଜେଡି ଓ କଂଗ୍ରେସରେ ଅନେକ ବିଧାୟକଙ୍କ ବିଦ୍ରୋହୀ ଆଭିମୁଖ୍ୟ ରହିଛି । ତେଣୁ କ୍ରସ ଭୋଟିଂର ସମ୍ଭାବନା ଅଧିକ ରହିଛି ।