ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ଆଉ ୨୪ ଘଣ୍ଟାରୁ କମ ସମୟ ବଞ୍ଚିଛି । ନିଜର ବିଧାୟକଙ୍କୁ ଧରି ଚୂଡାନ୍ତ ପ୍ରସ୍ତୁତିରେ ଲାଗି ପଡିଛନ୍ତି ଶାସକ ବିଜେପି, ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ଏହା ପୂର୍ବରୁ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଆଣିଛନ୍ତି ସାଂଘାତିକ ଅଭିଯୋଗ । ବିଜେପି ତାଙ୍କ ଦଳର ବିଧାୟକଙ୍କୁ ୫ କୋଟି ଲେଖାଏଁ ଯାଚୁଥିବା ସେ କହିଛନ୍ତି ।
କୋରାପୁଟ ସାଂସଦ କହିଛନ୍ତି, ଆମ ବିଧାୟକଙ୍କୁ ଟ୍ରାପ କରିବାକୁ ୫-୫ କୋଟି ଅଫର କରାଯାଉଛି । ବେଙ୍ଗାଲୁରୁ ସ୍ଥିତ ହୋଟେଲରେ ଥିବା ବିଧାୟକଙ୍କୁ ଟ୍ରାପ କରିବା ପାଇଁ ଉଦ୍ୟମ କରାଯାଉଛି । ଓଡିଶାରୁ ୪ ଜଣ ଲୋକ ଆସିଛନ୍ତି । ସେମାନଙ୍କୁ ଦିଲୀପ ରାୟ ପଠାଇଛନ୍ତି । ଏଠି ଆମର ୮ ଭୋଟ୍ ଏବଂ ଭୁବନେଶ୍ୱରରେ ୬ ଭୋଟ୍ ସୁରକ୍ଷିତ ଅଛି । ବିଜେପି ଘୋଡା ବେପାର ପାଇଁ କଳବଳ କୌଶଳ ଲଗାଇ ଦେଇଛି । ତଥାପି ଆମର ବିଧାୟକମାନେ ଠିକ୍ ଜାଗାରେ ଅଛନ୍ତି ।
ଅନ୍ୟପଟେ ରବିବାର କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଘରେ ନେତାଙ୍କ ମେଳି ହୋଇଛି । ଏଠାରେ ଭକ୍ତ ଦାସଙ୍କ ସମର୍ଥକ ଓ ନେତାମାନେ ରହିଛନ୍ତି । ଚତୁର୍ଥ ଆସନ ହାତେଇବା ପାଇଁ ଏବେ ପୂରା ଦମରେ ଲାଗି ପଡିଛି ବିଜେପି ଓ ବିଜେଡି-କଂଗ୍ରେସ । ଘୋଡା ବେପାରକୁ ନେଇ ଆରୋପ ପ୍ରତ୍ୟାରୋପ ମଧ୍ୟ ଜୋରଦାର ଚାଲିଛି ।
ଅନ୍ୟପଟେ ବିଜେଡି ପ୍ରତି ଦିନ ନିଜର ବିଧାୟକଙ୍କୁ ନବୀନ ନିବାସ ଡକାଇ ପରିସ୍ଥିତି ଉପରେ ସମୀକ୍ଷା କରୁଛି । ଆଜି ମଧ୍ୟ ସମସ୍ତ ବିଧାୟକଙ୍କୁ ନବୀନ ନିବାସରୁ ଡାକରା ଆସିଛି । ସମସ୍ତ ବିଧାୟକ ନବୀନ ନିବାସରେ ଉପସ୍ଥିତ ରହିବାକୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସମସ୍ତ ବିଧାୟକଙ୍କ ମଧ୍ୟାହ୍ଣ ଭୋଜନର କାର୍ଯ୍ୟକ୍ରମ ରହିଛି ।
Also read: ରାଜ୍ୟସଭା କସରତ: କଂଗ୍ରେସର ଏଜେଣ୍ଟ ରହିବେ ଭକ୍ତ ଦାସ, ବିଜେପିକୁ ଛିଗୁଲେଇଲେ କାଡାମ