କୋଲକାତା: ପଶ୍ଚିମବଙ୍ଗରେ ଦୁର୍ନୀତି, ହିଂସା ଏବଂ ବର୍ଷ ବର୍ଷ ଧରି ଚାଲିଥିବା କୁଶାସନ ବିରୋଧରେ ଜନ ଅସନ୍ତୋଷ ବଢ଼ିଛି, ଏବେ ପରିବର୍ତ୍ତନର ଲହରି ଆରମ୍ଭ ହୋଇସାରିଛି । ଖୁବଶୀଘ୍ର ପଶ୍ଚିମବଙ୍ଗରେ ‘ନିଷ୍ଠୁର ସରକାର’ ଏବଂ ‘ଜଙ୍ଗଲରାଜ’ ଶାସନ ଅନ୍ତ ସୁନିଶ୍ଚିତ ବୋଲି ଆଜି କୋଲକାତାରେ ଆୟୋଜିତ ଏକ ଦଳୀୟ ସଭାରେ ଯୋଗ ଦେଇ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ମୋଦୀ କୋଲକାତାରେ ବିଜେପି ପକ୍ଷରୁ ଆୟୋଜିତ ଦଳୀୟ ସାଧାରଣସଭାରେ ଯୋଗ ଦେଇ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଶାସନ ଉପରେ ବର୍ଷିଛନ୍ତି । ପଶ୍ଚିମବଙ୍ଗରେ ଦୁର୍ନୀତି, ହିଂସା ଏବଂ ବର୍ଷ ବର୍ଷ ଧରି ଚାଲିଥିବା କୁଶାସନ ବିରୋଧରେ ଜନ ଅସନ୍ତୋଷ ବଢ଼ିଛି, ଏବେ ପରିବର୍ତ୍ତନର ଲହରି ଆରମ୍ଭ ହୋଇସାରିଛି । ନୂତନ ବଙ୍ଗଳାର ରାଲିର ବିଗ୍ରେଡ୍ ଏହିଠାରୁ ଆରମ୍ଭ ହୋଇଛି । ରାଜ୍ୟରୁ ନିର୍ମମ ସରକାର ଏବଂ ମହାଜଙ୍ଗଲରାଜର ଅନ୍ତ ସୁନିଶ୍ଚିତ ହୋଇସାରିଛି । ଶାସନରୁ ହଟିବା ଆଶଙ୍କାରେ ଟିଏମସି ଭୟଭୀତ ହୋଇ ରହିଛି । ସେଥିପାଇଁ ଶୋଭାଯାତ୍ରାରେ ସାମିଲ ହେବାକୁ ଆସୁଥିବା ଲୋକଙ୍କୁ ଅଧା ବାଟରୁ ଅଟାକାଯାଉଥିବା ମୋଦୀ ଅଭିଯୋଗ କରିଛନ୍ତି । ଶୋଭାଯାତ୍ରାକୁ ଆସୁଥିବା ଲୋକଙ୍କ ରାସ୍ତାରେ ଜାଣିଶୁଣି ବାଧା ସୃଷ୍ଟି କରାଯାଇଛି । ଟିଏମସି ଉପରେ ଲୋକଙ୍କୁ ଅଟକାଇ ରଖିବା ଏବଂ ପୋଷ୍ଟର ଚିରି ଦେବା ଭଳି ଅଭିଯୋଗ ଆଣିଛନ୍ତି । ତଥାପି ହଜାର ହଜାର ସଂଖ୍ୟାରେ ଲୋକ ସଭାସ୍ଥଳୀରେ ପହଁଚିଥିଲେ । ଏମିତିକି ଟିଏମସି କର୍ମକର୍ତ୍ତାମାନେ ବିଜେପି କର୍ମୀଙ୍କୁ ଚୋର ବୋଲି କହି ଅପମାନିତ କରିଛନ୍ତି । କିନ୍ତୁ ଅସଲ ଚୋର କିଏ ତାହା ସମସ୍ତେ ଭଲକରି ଜାଣିଥିବା କହିଛନ୍ତି ମୋଦୀ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଗୋଟିଏ ସମୟ ଥିଲା ଯେତେବେଳେ ବଙ୍ଗଳା ସମଗ୍ର ଦେଶ ପାଇଁ ଗତି ସ୍ଥାପନ କରିଥିଲା। ବଙ୍ଗଳା ବାଣିଜ୍ୟ ଏବଂ ଶିଳ୍ପରେ ସବୁଠାରୁ ଆଗରେ ଥିଲା। ତଥାପି ଆଜି, ଏଠାକାର ଯୁବକମାନେ ନା ସଠିକ୍ ଭାବରେ ଡିଗ୍ରୀ ହାସଲ କରିପାରୁଛନ୍ତି ନା ନିଯୁକ୍ତି ପାଇପାରୁଛନ୍ତି । ଏଠାକାର ପୁଅ ଏବଂ ଝିଅମାନେ କାମ ଖୋଜିବା ପାଇଁ ଅନ୍ୟ ରାଜ୍ୟକୁ ବାଧ୍ୟ ହୋଇକି ଯାଉଛନ୍ତି। ଏହି ନିଷ୍ଠୁର ସରକାର ଏବେ ଯେତେ ଚେଷ୍ଟା କଲେ ମଧ୍ୟ, ପରିବର୍ତ୍ତନର ଏହି ଝଡ଼କୁ ରୋକିବାରେ ଅସମର୍ଥ ହେବ। ରାଜ୍ୟରେ ପରିବର୍ତ୍ତନକୁ ଏବେ କେହି ଅଟକାଇ ପାରିବେ ନାହିଁ ବୋଲି ମୋଦୀ ଦୃଢ଼ କଣ୍ଠରେ କହିଛନ୍ତି । ବିଜେପିକୁ ମହିଷାସୁର ମର୍ଦ୍ଦିନୀର ଆଶୀର୍ବାଦ ପ୍ରାପ୍ତ ହୋଇଛି । ଯେଉଁଭଳି ଭାବରେ ଭିଡ଼ ଜମିଛି ତାହା ଟିଏମସିର ଓଲଟା ଗଣତିର ଆରମ୍ଭ ଅଟେ ।