ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପୋଲିସ ଦ୍ୱାରା ‘ଥାର୍ଡ଼ ଡିଗ୍ରୀ’ ନିର୍ଯାତନା ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଜଗତସିଂହପୁର ସଦର ଥାନା ଅଧୀନ ତାରିକୁଣ୍ଡା ଆଉଟପୋଷ୍ଟରେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ମାଡ଼ ମାରିଥିବା ବୋଲି ଜଣେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଋଣ ଟଙ୍କା ଫେରସ୍ତ ନେବାକୁ ଯାଇଥିବା ଘଟଣାକୁ କେନ୍ଦ୍ର କରି ଏହି ବିବାଦ ହୋଇଛି।
ଋଣ ଟଙ୍କାକୁ ନେଇ ବିବାଦ
ଅଭିଯୋଗକାରୀ ଜଣକ ହେଉଛନ୍ତି ନକୁଳଙ୍ଗା ଗାଁର ରମାକାନ୍ତ ମଲ୍ଲିକ। ସେ କହିଛନ୍ତି ଯେ ପ୍ରାୟ ଚାରି ବର୍ଷ ପୂର୍ବେ ସେ ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଋଣ ଦେଇଥିଲେ। ବହୁଥର ଟଙ୍କା ଫେରାଇବାକୁ କହିଥିଲେ ମଧ୍ୟ ସେହି ବ୍ୟକ୍ତି ଟଙ୍କା ଫେରାଇନଥିବା ଅଭିଯୋଗ ହୋଇଛି। ଶନିବାର ସନ୍ଧ୍ୟାରେ ପୁଣିଥରେ ଟଙ୍କା ମାଗିବା ପରେ ସେହି ବ୍ୟକ୍ତି ତାଙ୍କ ବିରୋଧରେ ତାରିକୁଣ୍ଡା ଆଉଟପୋଷ୍ଟରେ ଅଭିଯୋଗ କରିଥିଲେ।
ଥାନାରେ ଥାର୍ଡ଼ ଡିଗ୍ରୀ
ରମାକାନ୍ତଙ୍କ ଅଭିଯୋଗ ଅନୁସାରେ, ପୋଲିସ ତାଙ୍କୁ ଘରୁ ଧରି ଆଉଟପୋଷ୍ଟକୁ ନେଇଥିଲେ ଏବଂ ସେଠାରେ ପ୍ଲାଷ୍ଟିକ ପାଇପ ଦ୍ୱାରା ମାଡ଼ ମାରିଥିଲେ। ସେ କହିଛନ୍ତି ଯେ ଏହା ଥାର୍ଡ଼ ଡିଗ୍ରୀ ନିର୍ଯାତନା ସମାନ।
ରମାକାନ୍ତ ମଲ୍ଲିକ କହିଛନ୍ତି, “ଚାରି ବର୍ଷ ପୂର୍ବେ ସେ ମୋ ପାଖରୁ ୫୦ ହଜାର ଟଙ୍କା ନେଇଥିଲେ। ବାରମ୍ବାର ଟଙ୍କା ମାଗିଲେ ମଧ୍ୟ ସେ ଫେରାଇନଥିଲେ। ଗତକାଲି ସନ୍ଧ୍ୟାରେ ମୋତେ ଏକ ସ୍ଥାନକୁ ଡାକିଥିଲେ, କିନ୍ତୁ ସେ ଥିଲେ ନାହିଁ। ତା’ପରେ ପୋଲିସ ଭ୍ୟାନ୍ ମୋ ଘରକୁ ଆସିଥିଲା।” ଘଟଣା ପରେ ରମାକାନ୍ତ ଜିଲ୍ଲା ପୋଲିସ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ପୋଲିସର ପ୍ରତିକ୍ରିୟା
ଏପଟେ ଥାନା ଅଧିକାରୀ ଅନିଲ ସାହୁ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଏପରି କୌଣସି ଘଟଣା ଘଟିନାହିଁ। SDPO କହିଛନ୍ତି ଯେ ମାମଲାକୁ ନେଇ ତଦନ୍ତ ଚାଲିଛି। ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସ ପକ୍ଷରୁ ଘଟଣାର ସତ୍ୟତା ଖୋଜିବା ପାଇଁ ତଦନ୍ତ ଜାରି ରହିଛି।