ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଗୁରୁବାର ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟସଭା ସଦସ୍ୟ ହରଭଜନ ସିଂହ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟରେ କୌଣସି ପ୍ରକାରର ଶାରୀରିକ କ୍ଷତି ପହଞ୍ଚିବା ଉଚିତ୍ ନୁହେଁ। ଜଷ୍ଟିସ ଜଗମୋହନ ବଂଶଲ ପଞ୍ଜାବ ସରକାରଙ୍କୁ ଏକ ନୋଟିସ୍ ଜାରି କରିବା ସହ ଶୁଣାଣିର ପରବର୍ତ୍ତୀ ତାରିଖ ମଇ ୧୨ ଧାର୍ଯ୍ୟ କରିଛନ୍ତି।
ପୂର୍ବତନ କ୍ରିକେଟର ହରଭଜନ ସିଂହ, ରାଘବ ଚଢ଼ାଙ୍କ ସମେତ ଆପ୍ (AAP) ର ୬ ଜଣ ରାଜ୍ୟସଭା ସଦସ୍ୟଙ୍କ ସହ ଏପ୍ରିଲ ୨୪ରେ ଆମ ଆଦମୀ ପାର୍ଟି ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ଏହା ପରେ ପଞ୍ଜାବ ପୋଲିସ ତାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନେଇଥିଲା। ପଞ୍ଜାବ ପୋଲିସ ସୁରକ୍ଷା ହଟାଇବା ପରେ କେନ୍ଦ୍ର ସରକାର ଜାଲନ୍ଧର ସ୍ଥିତ ହରଭଜନଙ୍କ ବାସଭବନ ବାହାରେ ସିଆରପିଏଫ୍ (CRPF) ମୁତୟନ କରିଛନ୍ତି।
ବିନା ନୋଟିସ୍ରେ ହଟାଗଲା ସୁରକ୍ଷା
ଆପ୍ କର୍ମକର୍ତ୍ତାମାନେ ପାର୍ଟି ଛାଡ଼ିଥିବା ହରଭଜନ ସିଂହ, ରାଜେନ୍ଦ୍ର ଗୁପ୍ତା ଏବଂ ଅଶୋକ ମିତ୍ତଲଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜାଲନ୍ଧର ଓ ଲୁଧିଆନାରେ ସେମାନଙ୍କ ଘର କାନ୍ଥରେ ସ୍ପ୍ରେ ପେଣ୍ଟରେ 'ଗଦ୍ଦାର' (ବିଶ୍ୱାସଘାତକ) ବୋଲି ଲେଖି ଦେଇଥିଲେ। ହରଭଜନ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, କୌଣସି ନୂତନ ବିପଦର ଆକଳନ ନକରି କିମ୍ବା ଶୁଣାଣିର ସୁଯୋଗ ନଦେଇ ଅତି ମନଇଚ୍ଛା ଭାବେ ତାଙ୍କ ସୁରକ୍ଷା ବଳୟ ପ୍ରତ୍ୟାହାର କରାଯାଇଛି।
ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଏପ୍ରିଲ ୨୫ ଓ ୨୬ ତାରିଖରେ ହିଂସ୍ର ଭିଡ଼ ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ। ସେହି ସମୟରେ ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ।
ବାହାର କାନ୍ଥରେ ଲେଖିଲେ ଗଦ୍ଦାର
ଆବେଦନ ଅନୁଯାୟୀ, ଏପ୍ରିଲ ୨୫ ସକାଳେ ହରଭଜନଙ୍କ ବାସଭବନରେ ମୁତୟନ ଥିବା ସମସ୍ତ ପୋଲିସ କର୍ମଚାରୀ ଚାଲିଯାଇଥିଲେ ଏବଂ ଜାଲନ୍ଧର ଜିଲ୍ଲାପାଳ ଆମ ଆଦମୀ ପାର୍ଟି ସଦସ୍ୟଙ୍କୁ ସେଠାରେ ବିକ୍ଷୋଭ କରିବାକୁ ଅନୁମତି ଦେଇଥିଲେ। ଅପରାହ୍ନ ପ୍ରାୟ ୨:୩୦ ସମୟରେ ଏକ ବଡ଼ ଭିଡ଼ ତାଙ୍କ ଘର ବାହାର କାନ୍ଥରେ 'ଗଦ୍ଦାର' ଲେଖି ଦେଇଥିଲେ। ସେହି ସମୟରେ ହରଭଜନ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ମୁମ୍ବାଇରେ ଥିଲେ। ସେ ଅଭିଯୋଗ କରିଛନ୍ତି ଯେ ସୁରକ୍ଷା ବନ୍ଦୋବସ୍ତ ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ସ୍ଥାନୀୟ ପୋଲିସ କୌଣସି ବ୍ୟବସ୍ଥା କରିନଥିଲା।