ଚଣ୍ଡିଗଡ: ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଜଣେ ଅବସରପ୍ରାପ୍ତ ମେଜରଙ୍କ ପେନସନ ମାମଲାରେ ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଉଚ୍ଚ ନ୍ୟାୟାଳୟ ଏହି ଅର୍ଥ ଦୁଇ ଅଧିକାରୀଙ୍କ ଦରମାରୁ କାଟି ଆବେଦନକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ସେବା ସମୟରେ ମେଜରଙ୍କୁ ୨୪ ସର୍ଜରୀ କରାଇବାକୁ ପଡିଥିଲା । ଏହା ବ୍ୟତୀତ ତାଙ୍କ କିଡମୀ ମଧ୍ୟ ଖରାପ ହୋଇ ଯାଇଥିଲା ।
ଦ ଟ୍ରିବ୍ୟୁନର ରିପୋର୍ଟ ମୁତାବକ ପୁଣେ ନିବାସୀ ମେଜର ରାଜଦୀପ ଦିନକର ପାଣ୍ଡେରୀ(ରିଟାୟର୍ଡ) ୨୦୧୨ରେ ଭାରତୀୟ ସେନାରେ କମିଶନ ହୋଇଥିଲେ । ସେହି ସମୟରେ ସେ ଏକଦମ ସୁସ୍ଥ ଥିଲେ । ତାଙ୍କୁ ଲଦାଖରେ ଉଚ୍ଚ ଇଲାକାରେ ପୋଷ୍ଟିଂ ଦିଆଯାଇଥିଲା । ହେଲେ ସେବାର ପାଞ୍ଚ ବର୍ଷ ପରେ ସେ ଗୁୁରୁତର ଅସୁସ୍ଥ ହୋଇ ପଡିଥିଲେ । ଏହା ପରେ ଦିଲ୍ଲୀ ଛାବନୀରେ ତାଙ୍କୁ ସିକ୍ ଲିଭ ମେଡିକାଲ୍ ବୋର୍ଡରେ ହାଜର କରାଯାଇଥିଲା । ଯାଞ୍ଚରୁ ଜଣା ପଡିଥିଲା ଯେ, ତାଙ୍କୁ ସିଷ୍ଟାଇଟିସ ସିଷ୍ଟିକା ଗ୍ଲାଣ୍ଡୁଲରିସ ହୋଇଛି । ଏଥିରେ ମୂତ୍ରାଶୟରେ ଛୋଟ ଛୋଟ ଗ୍ରନ୍ଥି ହୋଇ ଯାଇଥିଲା । ସାଧାରଣତଃ ମୂତ୍ରରେ ସଂକ୍ରମଣ କାରଣରୁ ଏହା ହୋଇଥାଏ ।
ଏହା ପରେ ମେଜର ପଣ୍ଡେରଙ୍କ ସର୍ଜରୀ ହୋଇଥିଲା ଏବଂ ଲୋ ମେଡିକାଲ କାଟାଗୋରୀରେ ସାମିଲ୍ କରାଯାଇଥିଲା । ୨୦୨୨ରେ ତାଙ୍କୁ ପଞ୍ଚକୁଲାରେ ଚଣ୍ଡିମନ୍ଦିର ୱେଷ୍ଟର୍ଣ୍ଣ କମାଣ୍ଡ ହସ୍ପିଟାଲର ସୁପାରିଶ ଆଧାରରେ ଲୋ ମେଡିକାଲ କାଟାଗୋରୀରୁ ରିଲିଜ କରାଯାଇଥିଲା । ସେତେବେଳକୁ ସେ ୧୫ ପ୍ରତିଶତ ଦିବ୍ୟାଙ୍ଗ ହୋଇ ସାରିଥିଲେ । ସେ ଦିବ୍ୟାଙ୍ଗ ପେନସନ ପାଇଁ ଆବେଦନ କରିଥିଲେ, ଯାହାକୁ ଖାରଜ କରି ଦିଆଯାଇଥିଲା ।
ଚଣ୍ଡିମନ୍ଦିର ଆର୍ମଡ ଫୋର୍ସେସ ଟ୍ରିବ୍ୟୁନାଲ ସ୍ୱୀକାର କରିଛନ୍ତି ଯେ, ମେଡିକାଲ ବୋର୍ଡର ସୁପାରିଶ କ୍ରମେ ଅନେକ ଥର ମେଜରଙ୍କ ସର୍ଜରୀ କରାଯାଇଥିଲା । ଆଉ ସେବା ସମୟରେ ହିଁ ସେ ଦିବ୍ୟାଙ୍ଗ ହୋଇ ଯାଇଥିଲେ । ହାଇକୋର୍ଟ କହିଛନ୍ତି, ଆମେ ବୁଝି ପାରୁନୁ ଯେବେ ସେବା ସମୟରେ ସେ ୧୫ ପ୍ରତିଶତ ଦିବ୍ୟାଙ୍ଗ ହୋଇ ଯାଇଥିଲେ, ତେବେ ତାଙ୍କୁ ରିଲିଜ୍ କରିବା ସମୟରେ ଏହା କାହିଁକି କୁହାଗଲା ଯେ, ଏହା ସୈନ୍ୟ ସେବା ସମୟରେ ହୋଇ ନାହିଁ । ଏହା ତ ବଡ ଆଶ୍ଚର୍ଯ୍ୟକର କଥା ।
ଟ୍ରିବ୍ୟୁନାଲ ହିଁ ୨୦୦୮ରେ ଏକ ନିଷ୍ପତ୍ତିରେ କହିଥିଲେ ଯେ, ଯେବେ କୌଣସି ସୈନିକଙ୍କ ସିରମ କ୍ରିଏଟନିନ ୧,୧୩ ରହିଛି ତେବେ ତାଙ୍କୁ ୪୦ ପ୍ରତିଶତ ଦିବ୍ୟାଙ୍ଗ ଶ୍ରେଣୀରେ ରଖାଯାଏ । ଏହି ହିସାବରେ ମେଜରଙ୍କୁ ୪୦ରୁ ୫୦ ପ୍ରତିଶତ ଦିବ୍ୟାଙ୍ଗ ଶ୍ରେଣୀରେ ରଖାଯିବାର ଥିଲା । ଟିବ୍ର୍ୟୁନାଲରଙ୍କ ଏହି ଆଦେଶ ବିରୋଧରେ କେନ୍ଦ୍ର ସରକାର ୨୦୨୫ରେ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ହେଲେ ଅଦାଲତ ଏହା ଖାରଜ କରିଥିଲେ । ମେଜର ପଣ୍ଡେର ପ୍ରତିରକ୍ଷା ସଚିବ ରାଜେଶ କୁମାର ଓ ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ବିରୋଧରେ କଣ୍ଟେମ୍ପ୍ଟ ପିଟିସନ ଫାଇଲ୍ କରିଥିଲେ ଏବଂ ଅଭିଯୋଗ କରିଥିଲେ ଯେ, ଏହି ଉଚ୍ଚପଦସ୍ଥ ସେନା ଅଧିକାରୀ ଟ୍ରିବ୍ୟୁନାଲଙ୍କ ଆଦେଶର ପାଳନ କରି ନାହାନ୍ତି ।
ଏହା ପରେ ପଞ୍ଜାବ ଓ ଚଣ୍ଡିଗଡ ହାଇକୋର୍ଟ ପ୍ରତିରକ୍ଷା ସଚିବ ରାଜେଶ କୁମାର ଓ ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଉପରେ ୨ ଲକ୍ଷ ଟଙ୍କାର ଜରିମାନ ଲଗାଇଛନ୍ତି । ଏହି ଅର୍ଥ ଉଭୟଙ୍କ ଦରମାରୁ କାଟି ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ଆବେଦନକାରୀ ମେଜରଙ୍କୁ ଦେବାକୁ ଆଦେଶ ଦେଇଛନ୍ତି ।