ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ସାଧାରଣ ଓ ପଞ୍ଚାୟତ ନିର୍ବାଚନଠାରୁ ବଳି ଯାଇଛି । କେତେବେଳେ ବାଲାଟକୁ ନେଇ ହୋହାଲ୍ଲା ତ କେତେବେଳେ ମତଦାତାଙ୍କୁ ନେଇ ପଟିତୁଣ୍ଡ । ବିନା ଗୃହ କାର୍ଯ୍ୟରେ ଆଜି ବିଧାନସଭା ପରିସର ଉଠୁଛି ପଡ଼ୁଛି । ମତଦାନ ବେଳେ ବିଜେଡ଼ି ଓ ବିଜେପି ସଦସ୍ୟମାନେ ହାତାହାତି ହୋଇଥିବା ଜଣାପଡ଼ିଛି । ବିଜେଡ଼ି ବିଧାୟକ ନବକିଶୋର ମଲ୍ଲିକଙ୍କ ପାଇଁ ବିଜେପି ଓ ବିଜେଡ଼ି ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।
ନବକିଶୋର ମଲ୍ଲିକ ତିନି ଦିନ ହେବ ନବୀନ ନିବାସ ଆସୁନଥିଲେ । ତାଙ୍କ ଉପରେ ବିଜେଡ଼ି ଆଶା ଆଶଙ୍କା ଥିଲା । କିନ୍ତୁ ଆଜି ସେ ଭୋଟ୍ ଦେବାକୁ ଆସିବାବେଳେ ପ୍ରବଳ ଗଣ୍ଡଗୋଳ ହୋଇଛି । ଉଭୟ ଦଳର କିଛି ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିବାର ଖବର ମିଳିଛି ।
ବିଜେଡ଼ି ବିଧାୟକ ତୁଷାରକାନ୍ତି ବେହେରାଙ୍କ ଅଭିଯୋଗ ମୁତାବକ, ବିଧାୟକ ନବ କିଶୋର ମଲ୍ଲିକ ଆଜି ବିଧାନସଭାରେ ଭୋଟ୍ ଦେବାକୁ ପହଁଚିଥିଲେ । ମତଦାନ ପ୍ରକୋଷ୍ଠକୁ ଯାଉଥିବା ସମୟରେ କେହି ଜଣେ ବ୍ୟକ୍ତି ପାହାଚ ଉପରୁ ଥାଇ ତାଙ୍କୁ ଟାଣି ନେଇଥିଲେ । ଯାହାକୁ ନେଇ ବିଜେଡ଼ି ବିଧାୟକମାନେ ହଙ୍ଗାମା କରିଛନ୍ତି । ଉକ୍ତ ବ୍ୟକ୍ତି ଜଣକ ବିଧାୟକ ନୁହଁନ୍ତି । ବିନା ଆଇଡି କାର୍ଡରେ ସେ କେମିତି ବିଧାନସଭାକୁ ଆସିଲେ ବୋଲି ତୁଷାରକାନ୍ତି ଅଭିଯୋଗ କରିଛନ୍ତି । ଏହା ଗଣତନ୍ତ୍ରର ହତ୍ୟା ବୋଲି ବିଜେଡ଼ି ଅଭିଯୋଗ କରିଛି ।