ଭୁବନେଶ୍ୱର: ଆଜି ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଓଡ଼ିଶାରେ ମଧ୍ୟ ବିଧାନସଭାର ସମସ୍ତ ସଦସ୍ୟ ମତଦାନ କରୁଛନ୍ତି । ମତଦାନ ବେଳେ ବିବାଦ ସୃଷ୍ଟି ହୋଇଛି । ବିଜେପିର ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଦୁଇଟି ବାଲାଟ୍ ପେପର୍ ମାଗିବା ପରେ ବିଜେଡ଼ି ଓ କଂଗ୍ରେସ ପ୍ରବଳ ବିରୋଧ କରିଛନ୍ତି ।
ଉପାସନାଙ୍କ କହିବା ମୁତାବକ, ଆଜି ଭୋଟ୍ ଦେବା ସମୟରେ ବାଲାଟ୍ ପେପରେ ତାଙ୍କର କଲମ ଚାଲିନଥିଲା । ଫଳରେ ଓଭର୍ ରାଇଟିଂ ହୋଇଥିଲା । ତେଣୁ ସେ ପୋଲିଂ ଅଧିକାରୀଙ୍କୁ ଆଉ ଗୋଟିଏ ବାଲାଟ୍ ପେପର୍ ମାଗିଥିଲେ । ଆଉ ଅଧିକାରୀ ତୁରନ୍ତ ଆଉ ଗୋଟିଏ ବାଲାଟ୍ ପେପର୍ ବଢ଼ାଇ ଦେଇଥିଲେ । ତା ପରେ ଉପାସନା ଭୋଟ୍ ଦେଇଥିଲେ । ଯାହାକୁ ନେଇ ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ପ୍ରବଳ ହଙ୍ଗାମା କରିଛନ୍ତି । ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି କହିଥିଲେ । ପ୍ରାୟ ୪୦ ମିନିଟ୍ ସମୟ ପାଇଁ ମତଦାନ ସ୍ଥଗିତ ହୋଇଥିଲା । ପରେ ମତଦାନ ଆରମ୍ଭ ହୋଇଥିଲା ।
ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦ୍ୱିତୀୟ ବାଲାଟ୍ ବ୍ୟବହାର କରିବାକୁ ବେଆଇନ ବୋଲି କହିଛନ୍ତି । ମତଦାନରେ ଗୁରୁତର ତ୍ରୁଟି ହୋଇଛି । ପୋଲିଂ ଅଧିକାରୀ ଉପାସନା ମହାପାତ୍ରଙ୍କୁ ଦୁଇଟି ବାଲାଟ୍ ପେପର୍ ଦେଇଛନ୍ତି । ଯାହାକି ସମ୍ପୂର୍ଣ୍ଣ ବେଆଇନ । ବ୍ରହ୍ମଗିରି ବିଧାୟିକା ଭୁଲ୍ କରିଛନ୍ତି । ଯାହାକି ଗଣତାନ୍ତ୍ରିକ ନିୟମ ବିରୋଧୀ । ବିଜେଡ଼ି ପ୍ରତିବାଦ କରିବ ବୋଲି ନବୀନ କହିଛନ୍ତି ।
ସେପଟେ ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି କୌଣସି ବେଆଇନ କାମ ହୋଇନାହିଁ । ଉପାସନାଙ୍କ କଲମ ନ ଚାଲିବାରୁ ସେ ଦ୍ୱିତୀୟ ବାଲାଟ୍ ମାଗିଥିଲେ । ସେ ବାଲାଟ୍ ପେପର୍ ଏଜେଣ୍ଟଙ୍କୁ ଦେଖାଇନଥିଲେ । ଏଜେଣ୍ଟଙ୍କୁ ନ ଦେଖାଇ ଥିବାରୁ ଆଉ ଗୋଟିଏ ବାଲାଟ୍ ପେପର୍ ଇସ୍ୟୁ ହୋଇଥିଲା । ଏହା କୌଣସି ବେଆଇନ କାମ ନୁହେଁ । ନବୀନ ପଟ୍ଟନାୟକ କୌଣସି ଆଇନ ଜାଣି ନାହାଁନ୍ତି ବୋଲି କହିଛନ୍ତି ସରୋଜ ।